ପାକିସ୍ତାନରେ ଏମିତି ପାଳନ ହେଉଛି କଶ୍ମୀର କଳା ଦିବସ- ପପ ସଂଗୀତ ତାଳେ ତାଳେ ନାଚିଲେ ସେନା ଅଫିସର, ପ୍ରବଳ ଜନ ଅସନ୍ତୋଷ

ଇସ୍ଲାମାବାଦ : କଶ୍ମୀର ନାଁରେ ଗତ ପ୍ରାୟ ୭୦ ବର୍ଷ ଧରି ପାକିସ୍ତାନ ଜନତାଙ୍କୁ ଠକି ଆସିଛି ପାକିସ୍ତାନୀ ସେନା । କାଶ୍ମୀର ପ୍ରସଙ୍ଗରେ ଭାରତ ସହିତ ଶତ୍ରୁତା ଓ ଭାରତର ଆକ୍ରମଣର ଭୟ ଦେଖାଇ ପାକିସ୍ତାନ ସେନା ପାକିସ୍ତାନରେ ନିଜ ସ୍ଥାନକୁ ସୁଦୃଢ କରିବା ସହ ଶାସନ କ୍ଷେତ୍ରରେ ମଧ୍ୟ ମୁଣ୍ଡ ପୁରାଇ ଆସିଛି । ପାକିସ୍ତାନୀ ସେନାର ଏହି ଠକାମୀ ଏବେ ଲୋକଲୋଚନକୁ ଆସିଯାଇଛି । ପାକିସ୍ତାନୀ ସେନା କଶ୍ମୀର ପ୍ରସଙ୍ଗକୁ ନେଇ କେତେ ସିରିୟସ ତାହା ଏଥିରୁ ପ୍ରମାଣିତ ହୋଇଯାଇଛି ।

କଥା ହେଉଛି ପ୍ରତିବର୍ଷ ଅକ୍ଟୋବର ୨୬କୁ ପାକିସ୍ତାନ କଶ୍ମୀର କଳା ଦିବସ ଭାବେ ପାଳନ କରେ । କାରଣ ଏହି ଦିନ କଶ୍ମୀର ମହାରାଜା ହରି ସିଂ ଭାରତ ସହିତ ମିଶ୍ରଣ ରାଜିନାମାରେ ସ୍ୱାକ୍ଷର କରିଥିଲେ । ଚଳିତ ବର୍ଷ ଅକ୍ଟୋବର ୨୬ରେ ପାକିସ୍ତାନୀ ସେନା ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସେଥିରେ ପାକିସ୍ତାନର ପ୍ରସିଦ୍ଧ ପପ ଗାୟିକା ହୁମାଇରା ଅରସଦ ପପ୍‌ ସଂଗୀତ ପରିବେଷଣ କରିଥିଲେ । କଳା ଦିବସରେ ଆୟୋଜିତ ଏହି ପପ୍‌ କନସର୍ଟ ସହ ତାଳ ଦେଇ ପାକିସ୍ତାନ ସେନା ଅଧିକାରୀମାନେ ନାଚିବାକୁ ଲାଗିଲେ । ଏହି ଭିଡିଓକୁ ହୁମାଇରା ଟ୍ଵିଟରରେ ସେୟାର କରିବା ପରେ ତାହା ଭାଇରାଲ ହୋଇଯାଇଥିଲା । ଏହାକୁ ନେଇ ପାକିସ୍ତାନରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଇଛି । କଳାଦିବସ ପାଳନ ନାଁରେ ପପ୍‌ କାର୍ଯ୍ୟକ୍ରମ ଆୟୋଜନ କରି ନାଚିବାକୁ ଲୋକେ ବିରୋଧ କରିଛନ୍ତି । ଏହା ଫଳରେ ପାକିସ୍ତାନୀ ସେନା ଏକ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହୋଇଛି ।

ସମ୍ବନ୍ଧିତ ଖବର