ପାକିସ୍ତାନ ପାଖରେ ଚାଇନାର ଲଢୁଆ ଡ୍ରୋନ, ଭାରତ ସତର୍କ

ନୂଆଦିଲ୍ଲୀ: ଆମେରିକା କିମ୍ବା ଇସ୍ରାଏଲରୁ ଲଢୁଆ ଡ୍ରୋନ ଆଣିବାକୁ ଭାରତ ଗତ କିଛି ବର୍ଷ ଧରି ମୂଲଚାଲ କରୁଥିବାବେଳେ ସେପଟେ ପାକିସ୍ତାନ ଚୀନରୁ ଆଟାକ୍‌ ଡ୍ରୋନ ଆଣିସାରିଲାଣି ।

ଆମେରିକା ଓ ଭାରତୀୟ ଗୁଇନ୍ଦା ସଂସ୍ଥାଙ୍କ ରିପୋର୍ଟ ଅନୁସାରେ  ଚୀନ ନିଜର ମଲଟି ରୋଲ୍‌ ଓ୍ଵିଙ୍ଗ ଲୁଙ୍ଗ ଷ୍ଟ୍ରାଇକ୍‌ ଡ୍ରୋନ ପାକିସ୍ତାନକୁ ଦେଇଛି । ଏହା ଭାରତରେ ପଶି ତୀବ୍ର ଆକ୍ରମଣ କରିବାକୁ ସକ୍ଷମ । ଏହି ଡ୍ରୋନ ଘଣ୍ଟା ପ୍ରତି ୧୮୦ କିଲୋମିଟର ବେଗରେ ଉଡ଼ି ପାରିବ ଓ ସାଙ୍ଗରେ ପ୍ରାୟ ୧୦୦ କିଲୋ ଓଜନର ମିସାଇଲ ଓ ବୋମା ବହନ କରିପାରିବ । ଏହା ଏକାଥରକେ ୫ ହଜାର କିଲୋମିଟର ଉଡାଣ ଭରିପାରିବ ।  ଏହାକୁ ଏକ ଗ୍ରାଉଣ୍ଡ କଣ୍ଟ୍ରୋଲ କେନ୍ଦ୍ରରୁ ନିୟନ୍ତ୍ରଣ କରାଯାଇପାରିବ । ପାକିସ୍ତାନର ଏମଏମ ଆଲମ ଏୟାରଫୋର୍ସ ବେସ୍‌ରେ ଏହି ଡ୍ରୋନ ଛିଡା ହୋଇଥିବା ଏକ ଫଟୋ ଆମେରିକା ଗୁଇନ୍ଦା ସଂସ୍ଥା ପକ୍ଷରୁ ପ୍ରକାଶ ପାଇଛି । ଏହି ଫଟୋଟି ଗତ ନଭେମ୍ବର ୨୪ର ବୋଲି ସୂଚନା ମିଳିଛି ।

ଏ ସଂପର୍କରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଭାରତ ସରକାର ଏ ନେଇ ଅବଗତ ଅଛନ୍ତି । ତେବେ ଏ ନେଇ ଉଚିତ ସ୍ଥାନରେ ଉଚିତ ପଦକ୍ଷେପ ନିଆଯାଉଛି ।

ଭାରତୀୟ ସେନା ପାଖରେ ଏବେ ଅନେକ ଡ୍ରୋନ ଥିଲେ ମଧ୍ୟ ସେଗୁଡିକ ମୁଖ୍ୟତଃ ଗୁଇନ୍ଦା କାର୍ଯ୍ୟପାଇଁ ଉଦ୍ଦିଷ୍ଟ । ଭାରତ ଲଢୁଆ ଡ୍ରୋନ ଆଣିବା ପାଇଁ ଆମେରିକା ଓ ଇସ୍ରାଏଲ ସହିତ ଗତ କିଛି ବର୍ଷ ହେଲା ଆଲୋଚନା କରୁଛି । ଏ ଦିଗରେ ଅଗ୍ରଗତି ହୋଇଥିବା ସୂଚନା ମିଳିଛି । ବିଶ୍ୱର ଏକ ଶକ୍ତିଶାଳୀ ଆଟାକ୍‌ ଡ୍ରୋନ ହେଲା ଆମେରିକାର ପ୍ରିଡେଟର ଓ ରିପର । ଏହି ଡ୍ରୋନ ଇରାକ ଓ ପାକିସ୍ତାନରେ ଗତ କିଛି ବର୍ଷ ଧରି ପ୍ରବଳ ଆକ୍ରମଣ ଚଳାଇଛି ।   ସେହିପରି ଇସ୍ରାଏଲର ହେରନ ଟିପି ଆର୍ମଡ୍‌ ଡ୍ରୋନ କଣିବାକୁ ମଧ୍ୟ ଭାରତ ନିଷ୍ପତ୍ତି ନେଇଛି । ଖୁବ ଶୀଘ୍ର ଏହି ଡ୍ରୋନ ଭାରତ ଆସିବାର ସମ୍ଭାବନା ରହିଛି ।  ଏହା ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଡ୍ରୋନ ବୋଲି କୁହାଯାଉଛି ।

 

 

 

ସମ୍ବନ୍ଧିତ ଖବର