କୁଳଭୂଷଣ ଯାଦବଙ୍କ ମା’ ଓ ପତ୍ନୀଙ୍କ ଭିସା ମଂଜୁର କଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ବନ୍ଦୀ ଥିବା ଅବସରପ୍ରାପ୍ତ ଭାରତୀୟ ନୌସେନା ଅଧିକାରୀ  କୂଳଭୂଷଣ ଯାଦବଙ୍କୁ ଭେଟିବାକୁ ତାଙ୍କ ମା’ ଓ ପତ୍ନୀଙ୍କୁ ଅନୁମତି ମିଳିଛି । ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇ କମିଶନଙ୍କ ପକ୍ଷରୁ ଏଥିଲାଗି ଯାଦବଙ୍କ ମା’ ଓ ପତ୍ନୀଙ୍କୁ ଭିସା ପ୍ରଦାନ କରାଯାଇଛି । ଏ ସଂପର୍କରେ ପାକ୍‌ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଡଃ ମହମ୍ମଦ ଫୈଜଲ ଟ୍ଵିଟ୍‌ କରି ଜଣାଇଛନ୍ତି ।

ଗତ ଶନିବାରଦିନ ପାକ୍‌ ସରକାରଙ୍କ ତରଫରୁ ସୂଚନା ଦିଆଯାଇଥିଲା ଯେ ‘‘ପାକିସ୍ତାନ ଯିବା ପାଇଁ କମାଣ୍ଡର ଯାଦବଙ୍କ ମା’ ଓ ପତ୍ନୀଙ୍କ ଭିସା ଆବେଦନ ମିଳିଛି ଓ ମାନବିକ ଦୃଷ୍ଟି କୋଣରୁ ତାହା ବିଚାରାଧୀନ ରହିଛି ।’’

ଚଳିତ ମାସ ଆରମ୍ଭରେ ପାକିସ୍ତାନ ସରକାର ଯାଦବଙ୍କ ପତ୍ନୀ ଓ ମା’ଙ୍କୁ ଭେଟିବାକୁ ଅନୁମତି ଦେବା କଥା ଘୋଷଣା କରିଥିଲେ । ମାତ୍ର ସେମାନଙ୍କ ନିରାପତ୍ତା ଗ୍ୟାରେଣ୍ଟି ଦେବା ପାଇଁ ଭାରତ କରିଥିବା ଦାବି ବାବଦରେ ପାକ୍‌ ସରକାର ନିରବ ରହିଥିଲେ । ଅନ୍ୟପକ୍ଷରେ ଗତ ୧୩ ତାରିଖରେ ଯାଦବଙ୍କୁ କନସୁଲାର ଆକସେସ୍‌ ଦେବା ପାଇଁ ଭାରତର ସାନି ଆବେଦନକୁ ପାକ୍‌ ସରକାର ପୁଣି ଥରେ ଖାରଜ କରିଦେଇଥିଲେ ।

ଗତ ୨୦୧୬ ମାର୍ଚ୍ଚରେ ଭାରତର ଏହି ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ପାକିସ୍ତାନର ଆତଙ୍କବାଦ ନିରୋଧୀ ଅଧିକାରୀମାନେ ଗୁପ୍ତଚର ବୃତ୍ତି ଅଭିଯୋଗରେ ଗିରଫ କରିଥିଲେ ।

ସମ୍ବନ୍ଧିତ ଖବର