ନୂ୍ଆଦିଲ୍ଲୀ: ମେ’ ୮ ତାରିଖ ରାତି ୮ଟାରୁ ୧୧.୩୦ ମଧ୍ୟରେ ପାକିସ୍ତାନ ଭାରତରେ ଏକାଧିକ ସହର ଉପରେ ଆକ୍ରମଣ ଉଦ୍ୟମ କରିଛି। ଜମ୍ମୁ କାଶ୍ମୀର, ପଂଜାବ, ରାଜସ୍ଥାନ ଏବଂ ଗୁଜରାଟର ୨୪ ସହରକୁ ଟାର୍ଗେଟ୍ କରି ପାକିସ୍ତାନ ପ୍ରାୟ ୪୦୦ କ୍ଷୁଦ୍ର ଡ୍ରୋନ୍ ଛାଡ଼ିଥିଲା। କିନ୍ତୁ ଭାରତୀୟ ସ୍ଥଳ ସେନା ଏବଂ ବାୟୁସେନା ସଫଳପ୍ରଦ ଭାବେ ପାକିସ୍ତାନର ଏହି ଆକ୍ରମଣ ଉଦ୍ୟମ ପଣ୍ଡ କରିଦେଇଛି। ମିଳିଥିବା ସୂଚନାନୁଯାୟୀ ପାକିସ୍ତାନ ମୁଖ୍ୟତଃ ଅସ୍ତ୍ରବିହୀନ ଡ୍ରୋନ୍ ପଠାଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିଲା। ଅନ୍ୟପକ୍ଷେ ଭାରତୀୟ ସାମରିକ ପ୍ରତିଷ୍ଠାନ ସଂକ୍ରାନ୍ତରେ ଗୁପ୍ତ ସୂଚନା ସଂଗ୍ରହ କରିବା ଉଦ୍ଦେଶ୍ୟ ରଖି ପାକିସ୍ତାନ କ୍ୟାମେରା ଲଗାଯାଇଥିବା ଶତାଧିକ କ୍ଷୁଦ୍ର ଡ୍ରୋନ୍ ମାଧ୍ୟମରେ ଆକ୍ରମଣ ଉଦ୍ୟମ କରୁଛି।
ଡ୍ରୋନ୍ ସହିତ ପାକିସ୍ତାନ କ୍ଷେପଣାସ୍ତ୍ର ମଧ୍ୟଛାଡ଼ିଥିଲା କିନ୍ତୁ ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏହାକୁ ପ୍ରତିହତ କରିଥିଲା। ସତୱାରୀ, ସାମ୍ବା, ଆରଏସ୍ ପୂରା ଏବଂ ଆର୍ନିଆ ଅଭିମୁଖେ ପାକିସ୍ତାନ ଛାଡ଼ିଥିବା ୮ଟି କ୍ଷେପଣାସ୍ତ୍ରକୁ ଭାତର ଖସାଇ ଦେଇଛି। ଇତିମଧ୍ୟରେ ଜରୁରୀ ସ୍ଥିତିର ମୁକାବିଲା ପାଇଁ ଦେଶରେ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ଗୃହ ମନ୍ତ୍ରାଳୟ ଆଜି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ଅନୁରୋଧ କରିଛି ଯେ ସେମାନେ ଜରୁରୀକାଳୀନ କ୍ରୟ ଉଦ୍ଦେଶ୍ୟରେ ନାଗରିକ ପ୍ରତିରକ୍ଷା ନିୟମ ଅନୁଯାୟୀ ଜରୁରୀକାଳୀନ କ୍ଷମତା ବ୍ୟବହାର କରିବା ବିଷୟରେ ବିଚାର କରନ୍ତୁ। ଉଲ୍ଲେଖଯୋଗ୍ୟ, ୧୯୬୮ ମସିହାର ନାଗରିକ ପ୍ରତିରକ୍ଷା ନିୟମାବଳୀ ରାଜ୍ୟଗୁଡ଼ିକୁ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ କ୍ଷମତା ପ୍ରଦାନ କରେ, ଯେଉଁଥିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ ସେବା କ୍ରୟ ଅନ୍ତର୍ଭୁକ୍ତ।