ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ ପୂର୍ବରୁ ଉପହାସ କରିଥିବା ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ହୁସେନ୍ ଭାରତର ତୃତୀୟ ଚନ୍ଦ୍ର ମିସନ ‘ଚନ୍ଦ୍ରଯାନ-୩’କୁ ପ୍ରଶଂସା କରିବା ସହ ଏହାକୁ ମାନବଜାତି ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି। ଇମ୍ରାନ ଖାନ୍‌ଙ୍କ ଶାସନ କାଳରେ ପୂର୍ବତନ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଥିବା ହୁସେନ ଭାରତକୁ ଅଭିନନ୍ଦନ ଜଣାଇ ବୁଧବାର ସନ୍ଧ୍ୟାରେ ଚନ୍ଦ୍ରଯାନ-୩ର ଚନ୍ଦ୍ର ଅବତରଣର ପ୍ରସାରଣ କରିବାକୁ ତାଙ୍କ ଦେଶକୁ ଅନୁରୋଧ କରିଥିଲେ।

Advertisment

ହୁସେନ ଏକ୍ସ (ଟ୍ବିଟର)ରେ ଲେଖିଥିଲେ: ପାକିସ୍ତାନ ସରକାର ଚନ୍ଦ୍ରଯାନ-୩ର ଚନ୍ଦ୍ର ଅବତରଣର ସିଧା ପ୍ରସାରଣ କରିବା ଉଚିତ। ମାନବଜାତି ପାଇଁ ଏବଂ ବିଶେଷ କରି ଭାରତର ଜନସାଧାରଣ, ବୈଜ୍ଞାନିକ ଓ ମହାକାଶ ବିଜ୍ଞାନୀଙ୍କ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ। ଅନେକ ଅଭିନନ୍ଦନ।’ ଜୁଲାଇ ୧୪ରେ ଇସ୍ରୋ ତୃତୀୟ ଚନ୍ଦ୍ର ଅଭିଯାନ ଆରମ୍ଭ କରିବା ପରେ ଫୱାଦ ହୁସେନ ଭାରତର ମହାକାଶ ଓ ବିଜ୍ଞାନ ସମୁଦାୟକୁ ଅଭିନନ୍ଦନ ଜଣାଇଥିଲେ। କିନ୍ତୁ ୨୦୧୯ରେ ଚନ୍ଦ୍ରଯାନ-୨ ବିଫଳ ହେବା ପରେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଭାରତୀୟ ମହାକାଶ ଏଜେନ୍ସିକୁ ନିର୍ମମ ଭାବେ ଟ୍ରୋଲ କରିଥିଲେ। ଦ୍ୱିତୀୟ ଚନ୍ଦ୍ର ଅଭିଯାନରେ ୯୦୦ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା କରିବା ସହ କହିଥିଲେ ଯେ ଅଜ୍ଞାତ ଅଞ୍ଚଳକୁ ଯିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ। ପୂର୍ବ ଅଭିଯାନ ବିଫଳ ହେବା ପରେ ସେ ତାଙ୍କ ଟ୍ବିଟର ପୋଷ୍ଟରେ ‘ଇଣ୍ଡିଆ ଫେଲ୍’ ହାସଟ୍ୟାଗ୍ ମଧ୍ୟ ବ୍ୟବହାର କରିଥିଲେ।