ପାକିସ୍ତାନ ନିର୍ମିତ ୨୪ ଲକ୍ଷ ଟଙ୍କାର ଜାଲ୍‌ ୨ହଜାର ଟଙ୍କିଆ ନୋଟ୍‌ ଜବତ

ମୁମ୍ବାଇ: ୨୪ ଲକ୍ଷ ଟଙ୍କାର ଜାଲ୍‌ ୨ ହଜାର ଟଙ୍କିଆ ନୋଟ୍‌ ଧରି ରବିବାର ସକାଳେ ବିମାନ ଯୋଗେ ଦୁବାଇରୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅତି ଉନ୍ନତ ମାନରେ ପ୍ରସ୍ତୁତ କରାଯାଇଥିବା ଏହି ଜାଲ୍‌ ନୋଟ୍‌ରେ ୯ଟି ନିରାପତ୍ତା ବୈଶିଷ୍ଟ୍ୟ ମଧ୍ୟରୁ ୭ଟି ନିରାପତ୍ତା ବୈଶିଷ୍ଟ୍ୟ ରହିଛି।

ଗିରଫ ଅଭିଯୁକ୍ତ ୩୬ ବର୍ଷିୟ ଜାେଓ୍ଵଦ୍‌ ଶେଖ୍‌ ପୁଲିସକୁ କହିଛି ଯେ ସେଗୁଡ଼ିକ ପାକିସ୍ତାନରେ ଛାପା ଯାଇ ଦୁବାଇକୁ ପଠାଯାଇଥିଲା। ସେଠାରୁ ଏହି ଜାଲ୍‌ ନୋଟ୍‌ଗୁଡ଼ିକୁ ଭାରତକୁ ପଠାଯାଇଛି। ଏ ସଂକ୍ରାନ୍ତରେ ‘ସିଆଇଏ’ ଗୁଇନ୍ଦା ଠାରୁ ସୂଚନା ପାଇଥିଲା।

ଅତି ଉନ୍ନତ ମାନର ଦିଶୁଥିବା ଏହି ନୋଟ୍‌ଗୁଡ଼ିକରେ ନିରାପତ୍ତା ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟ ଅସଲି ପରି ଦିଶୁଛି। ଏଗୁଡ଼ିକ ଅସଲି କି, ନକଲି ସାଧାରଣ ଲୋକେ ଜାଣି ପାରିବେ ନାହିଁ।

Image Source: Daily Hunt

କାଲ୍‌ଓ୍ଵାର ବାସିନ୍ଦା ଜାେଓ୍ଵଦ୍‌ ଅତୀତରେ ଅନେକ ଥର ଦୁବାଇ ଓ ବ୍ୟାଙ୍ଗ୍‌କକ୍‌ ଯାଇଥିବାରୁ ବହୁ ପରିମାଣର ଜାଲ୍‌ ନୋଟ୍‌ ଆଣିଥିବା ସନ୍ଦେହ କରାଯାଉଛି। ଏଗୁଡ଼ିକ ସେ କ’ଣ ପାଇଁ ଆଣିଛନ୍ତି ବୋଲି ପୁଲିସ ତାଙ୍କୁ ପଚରା ଉଚୁରା କରୁଛି।

ଏହାକୁ ଧରି ଶେଖ୍‌ ଏୟାର୍‌ପୋର୍ଟ ସିକ୍ୟୁରିଟି ଚେକ୍‌ରୁ ମଧ୍ୟ ଖସି ଯାଇଥିଲେ। ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଟର୍ମିନାଲ୍‌ ବାହାର ବସ୍‌ଷ୍ଟାଣ୍ଡ୍‌ରେ ତାଙ୍କୁ ଧରାଯାଇଥିଲା। ଅତି ଚତୁରତାର ସହ ଜାଲ୍‌ ନୋଟ୍‌ଗୁଡ଼ିକୁ ଗୋଟାଏ କୁସନ୍‌ରେ ଭର୍ତ୍ତି କରାଯାଇ କୁସନ୍‌ଟିକୁ ତାଙ୍କ ଟ୍ରଲି ବ୍ୟାଗ୍‌ର କପଡ଼ା ଆସ୍ତରଣ ମଧ୍ୟରେ ରଖାଯାଇଥିଲା। ଏଗୁଡ଼ିକୁ ଟ୍ରଲି ବ୍ୟାଗ୍‌ରୁ ଠାବ କରିବାକୁ ପ୍ରାୟ ଏକ ଘଣ୍ଟା ଲାଗିଥିଲା ବୋଲି ଯୁଗ୍ମ ପୁଲିସ କମିସନର୍‌ (ଅପରାଧ) ସନ୍ତୋଷ ରସ୍ତୋଗି କହିଛନ୍ତି।

ସମ୍ବନ୍ଧିତ ଖବର