ନୂଆଦିଲ୍ଲୀ: ୨୦୧୯ ବାଲାକୋଟ ବିମାନ ଆକ୍ରମଣ ସମୟ‌ରେ ଭାରତୀୟ ପାଇଲଟ୍‌ ଅଭିନନ୍ଦନ ବର୍ଧମାନଙ୍କୁ ଧରିଥିବା ପାକିସ୍ତାନର ଜଣେ  ମେଜର୍‌ଙ୍କୁ ତାଲିବାନ ଆତଙ୍କୀ ହତ୍ୟା କରିଛନ୍ତି। ପାକିସ୍ତାନ ସ୍ବତନ୍ତ୍ର ବାହିନୀର ସମ୍ପୃକ୍ତ ଅଧିକାରୀ ଜଣକ  ଅଭିନନ୍ଦନଙ୍କୁ ଧରିଥିବା ଦାବି କରିଥିଲେ। ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଦ୍ବାରା ଏହି ଅଫିସର ନିହତ ହୋଇଛନ୍ତି। ସେ ହେଉଛନ୍ତି ମେଜର୍‌ ସୟଦ ମୁଇଜ।  ପାକ୍‌ ସ୍ବତନ୍ତ୍ର ସର୍ଭିସ ଗ୍ରୁପ୍‌ର ଷଷ୍ଠ କମାଣ୍ଡୋ ବାଟାଲିଅନ୍‌ରେ ତାଙ୍କର ପୋଷ୍ଟିଂ ଥିଲା।  

Advertisment

ପାକିସ୍ତାନର ଖାଇବର ପଖ୍‌ତୁନ୍‌ଖ୍ବା ପ୍ରଦେଶର ସରରଗୋହା ଅଞ୍ଚଳରେ ତାଙ୍କୁ ହତ୍ୟା କରାଯାଇଥିବା ଟିଟିପି ଦାବି କରିଛି। ଉଲ୍ଲେଖଯୋଗ୍ୟ, ୨୦୧୯ ଫେବ୍ରୁଆରି ୨୭ ତାରିଖରେ ବାଲାକୋଟ ବିମାନ ଆକ୍ରମଣ ସମୟରେ ଗ୍ରୁପ୍‌ କ୍ୟାପଟେନ ଅଭିନନ୍ଦନ ବର୍ଧମାନ ପାକିସ୍ତାନର ଏଫ୍‌-୧୬ ଲଢୁଆ ବିମାନକୁ ଏକ  ପୁରୁଣା ମିଗ୍‌ ୨୧ ଦ୍ବାରା ଖସାଇ ବିସ୍ମୟ ସୃଷ୍ଟି କରିଥିଲେ। ତେବେ ଦୁର୍ଭାଗ୍ୟବଶତଃ ଏହି ଲଢ଼େଇ ସମୟରେ  ପାକିସ୍ତାନ ଦ୍ବାରା ବେଆଇନ ଭାବେ ଅଧିକୃତ କାଶ୍ମୀରର ଏକ ଅଞ୍ଚଳରେ ତାଙ୍କ ବିମାନକୁ ଆକ୍ରମଣ ସମୟ‌ରେ ସେ ଶତ୍ରୁ ରାଷ୍ଟ୍ର ନିୟନ୍ତ୍ରଣରେ ଥିବା ପରିସରରେ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ।  ଏହି ସମୟରେ ଜଣେ ପାକିସ୍ତାନୀ ସୈନିକ ତାଙ୍କୁ ନିୟନ୍ତ୍ରଣକୁ ନେଇଥିଲେ ଏବଂ ଶତ୍ରୁରାଷ୍ଟ୍ରରେ ସେ ୬୦ ଘଣ୍ଟା ଅତିବାହିତ କରିଥିଲେ। ତେବେ ଭାରତ ଓ ସମଗ୍ର ବିଶ୍ବର ଚାପ ଫଳରେ ‌ପାକିସ୍ତାନ ଶେଷରେ ଅଭିନନ୍ଦନଙ୍କୁ ଫେରାଇଥିଲା।