ଲାହୋର: ଚଳିତ ମାସ ପ୍ରାରମ୍ଭରେ ପାକିସ୍ତାନ ଗସ୍ତ ସମୟରେ ଅଷ୍ଟ୍ରେଲୀୟ କ୍ରିକେଟ୍ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଧମକ ଦେଇଥିବା ଅଭିଯୋଗରେ ପାକିସ୍ତାନ ପଞ୍ଜାବ ପ୍ରଦେଶର ପୁଲିସ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି।
ଉଲ୍ଲେଖଯୋଗ୍ୟ, ଅଷ୍ଟ୍ରେଲୀୟ କ୍ରିକେଟ୍ ଦଳ ଚଳିତ ମାସ ପ୍ରାରମ୍ଭରେ ପାକିସ୍ତାନ ଗସ୍ତ ଶେଷ କରିଥିଲା, ଯେଉଁଥିରେ ଏହା ତିନିଟି ଟେଷ୍ଟ ଏବଂ ଅନେକ ଦିନିକିଆ ଏବଂ ଗୋଟିଏ ଟି-୨୦ ଖେଳିଥିଲା।
ତେବେ, ଅଷ୍ଟ୍ରେଲୀୟ କ୍ରିକେଟ୍ ଦଳ ପାକିସ୍ତାନ ଗସ୍ତରେ ଥିବାବେଳେ ଲାହୋରରେ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ କରାଯିବ ବୋଲି ଅଷ୍ଟ୍ରେଲୀୟ ଆଭ୍ୟନ୍ତରୀଣ ମନ୍ତ୍ରାଳୟକୁ ଧମକ ମିଳିବା ପରେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସିମାନେ ଏହାର ତଦନ୍ତ ଆରମ୍ଭ କରିଥିଲେ।
ପାକିସ୍ତାନ ତଦନ୍ତକାରୀ ସଂସ୍ଥାର ଅଧିକାରୀ ମୁବଶିର ମାକେନ୍ ଶୁକ୍ରବାର ସାମ୍ବାଦିକମାନଙ୍କୁ କହିଛନ୍ତି, ପୁଲିସ ସେହି ବ୍ୟକ୍ତିଙ୍କୁ ଠାବ କରିଛି ଯିଏ ଅଷ୍ଟ୍ରେଲୀୟ ଆଭ୍ୟନ୍ତରୀଣ ମନ୍ତ୍ରାଳୟକୁ ଆତଙ୍କବାଦୀ ଆକ୍ରମଣ ପାଇଁ ଧମକ ଦେଇଥିଲେ ଏବଂ ତାକୁ ଗିରଫ କରାଯାଇଛି। ସେ କହିଛନ୍ତି ଯେ ସନ୍ଦିଗ୍ଧ ଇରଫାନ ନାସିରଙ୍କୁ ଲାହୋରଠାରୁ ପ୍ରାୟ ୨୦୦ କିଲୋମିଟର ଦୂର ଟୋବା ଟେକ ସିଂରୁ ଗିରଫ କରାଯାଇଥିଲା।
ସେ କହିଛନ୍ତି ଯେ ଆତଙ୍କବାଦ ନିରୋଧୀ ଆଇନ ଏବଂ ଟେଲିଗ୍ରାଫ୍ ଆଇନ ଅନୁଯାୟୀ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି, ପୁଲିସ ଏବଂ ଗୁଇନ୍ଦା ଏଜେନ୍ସି ତାଙ୍କ ମୋବାଇଲ୍ ଫୋନ୍ ତଥ୍ୟ ମାଧ୍ୟମରେ ସନ୍ଦିଗ୍ଧଙ୍କୁ ଠାବ କରଥିଲେ। ଅଧିକାରୀ କହିଛନ୍ତି ଯେ ପୁଲିସ କୌଣସି ନିଷିଦ୍ଧ ସଂଗଠନ ସହିତ ତାଙ୍କ ଲିଙ୍କ୍ ସଂପର୍କରେ ମଧ୍ୟ ଅନୁସନ୍ଧାନ କରୁଛି। ପାକିସ୍ତାନର ଗସ୍ତ ସମୟରେ ଟେଷ୍ଟ ଦଳରେ ଅଂଶଗ୍ରହଣ କରିଥିବା ଅଷ୍ଟ୍ରେଲୀୟ ସ୍ପିନର ଆଷ୍ଟନ ଅଗର ମଧ୍ୟ ସୋସିଆଲ ମିଡିଆରେ ହତ୍ୟା ଧମକ ପାଇଥିଲେ। ତେବେ, ତଦନ୍ତ ପରେ, ଜଣାପଡିଥିଲା ଯେ ଏକ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଧମକ ଜାରି କରାଯାଇଥିଲା।