ଇସ୍‌ଲାମାବାଦ୍‌: ପାକିସ୍ତାନର ପଞ୍ଜାବ ପ୍ରଦେଶର ସୂଚନା ଓ ସଂସ୍କୃତି ମନ୍ତ୍ରୀ ଫୟାଜୁଲ୍‌ ହାସନ୍‌ ଚୋହାନ୍‌ଙ୍କୁ ହିନ୍ଦୁ ବିରୋଧୀ ମନ୍ତବ୍ୟ ମହଙ୍ଗା ପଡ଼ିଛି। ସେ ହିନ୍ଦୁମାନଙ୍କ ବିରୋଧରେ ଦେଇଥିବା ‘ଅରୁଚିକର’ ମନ୍ତବ୍ୟ ଯୋଗୁଁ ମନ୍ତ୍ରୀପଦ ହରାଇଛନ୍ତି।

Advertisment

ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ଉସ୍‌ମାନ୍‌ ବଜ୍‌ଦାର ଚୌହାନ୍‌ଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି । ସେ ମନ୍ତ୍ରୀ ପଦରୁ ବହିଷ୍କୃତ ହେବା କଥା ମଙ୍ଗଳବାର ଆଧିକାରିକ ଭାବେ ସୂଚିତ କରାଯାଇଛି।

ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଦଳର ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ (ପିଟିଆଇ)ର ଜଣେ ଫାୟାର ବ୍ରାଣ୍ଡ ନେତା ଭାବେ ଜଣାଶୁଣା ଫୟାଜୁଲ୍‌ ହାସନ୍‌ ଚୋହାନ୍‌ ହିନ୍ଦୁମାନଙ୍କୁ ‘ଗୋମୂତ୍ର ପିଉଥିବା ଗୋଷ୍ଠୀ’ ବୋଲି ସର୍ବସାଧାରଣରେ କହିଥିଲେ। ପୁଲଓ୍ଵାମା ଆକ୍ରମଣ ପରେ ଘଟଣାକୁ ନେଇ ଭାରତର ବିବୃତି ଆସିବା ପରେ ସେ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିଲେ।ଏହାର ଭିଡ଼ିଓ ଟୁଇଟର୍‌ରେ ପୋଷ୍ଟ୍‍ କରିଥିଲେ।

ଏହି ଘଟଣାକୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପସନ୍ଦ କରି ନ ଥିଲେ। ଏହା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ରାଜନୈତିକ ବ୍ୟାପାର ସ୍ୱତନ୍ତ୍ର ଅଧିକାରୀ ନୈମୁଲ ହକ୍‌ ଟୁଇଟ୍‌ କରିଥିଲେ ଯେ ଏଭଳି ନିର୍ବୋଧ ଆଚରଣକୁ ପିଟିଆଇ ସହ୍ୟ କରିବ ନାହିଁ। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମଙ୍ଗଳବାର ଚୌହାନ୍‌ ଦଳର ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ପଦରୁ ଇସ୍ତଫା ଦେଇଥିବା ସ୍ପଷ୍ଟ ହୋଇଛି।