ପାକ୍‌ର ଦୁର୍ବ୍ୟବହାର:ଗୁରୁଦ୍ୱାରରେ ପ୍ରବେଶ କରାଇ ଦେଲେନି

ପାକ୍‌ ଡେପୁଟି ହାଇକମିସନରଙ୍କୁ ଭାରତର ସମନ

ଇସଲାମାବାଦ୍‌ : ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ଆଜି ପୁଣିଥରେ ଅନ୍ତର୍ଜାତୀୟ କୂଟନୀତିର ନୀତି ନିୟମକୁ ଉଲ୍ଲଂଘନ କରିଛି। ପାକିସ୍ତାନ ୧୯୭୪ ଦ୍ୱିପାକ୍ଷିକ ପ୍ରୋଟକଲ୍‌ ଏବଂ ୧୯୬୧ ଭିଏନା ଚୁକ୍ତିର ଉଲ୍ଲଂଘନ କରି ଦୂତାବାସ ଅଧିକାରୀଙ୍କ ଉପରେ ବେଆଇନ ଚାପ ସୃଷ୍ଟି କରିବାରେ ଲାଗିଛି । ସୁରକ୍ଷା ଆଳ ଦେଖାଇ ପାକିସ୍ତାନ କର୍ତ୍ତୃପକ୍ଷ ଆଜି ଭାରତର ହାଇ କମିସନରଙ୍କୁ ଗୁରୁଦ୍ୱାର ସାହିବ୍‌କୁ ପ୍ରବେଶ ଅନୁମତି ଦେଇନାହାନ୍ତି। ରାଓ୍ଵଲପିଣ୍ଡି ନିକଟସ୍ଥ ହାସନ୍‌ ଅବଦଲ୍‌ରେ ଥିବା ଗୁରୁଦ୍ୱାର ପଞ୍ଜ ସାହିବ୍‌ ପରିଦର୍ଶନ କରିବାପାଇଁ ଭାରତର ହାଇ କମିସନର ଅଜୟ ବିସାରିଆ ପୂର୍ବରୁ ଅନୁମତି ଆଣିଥିଲେ । କିନ୍ତୁ ପାକିସ୍ତାନ ଆଜି ଅଚାନକ ଏଥିରେ କଟକଣା ଲଗାଇଥିଲା। ବିସାରିଆଙ୍କୁ ଗୁରୁଦ୍ୱାରରେ ପ୍ରବେଶ କରିବାରୁ ରାସ୍ତାରେ ବାରଣ କରାଯାଇଥିଲା। ଗୁରୁଦ୍ୱାରରେ ବିସାରିଆଙ୍କ ସାକ୍ଷାତ ଅପେକ୍ଷାରେ ରହିଥିବା ଶତାଧିକ ଭାରତୀୟ ତୀର୍ଥଯାତ୍ରୀ ନିରାଶ ହୋଇଥିଲା। ପାକିସ୍ତାନ ଭାରତୀୟ ଦୂତାବାସ କର୍ମଚାରୀଙ୍କ ଉପରେ ଅଯଥା ଚାପ ସୃଷ୍ଟି କରିବା ସହ ପୂର୍ବରୁ ରହିଥିବା ବିବାଦଗୁଡ଼ିକୁ ଜଟିଳ କରିବାରେ ଲାଗିଛି। ପାକିସ୍ତାନର ଏଭଳି କାର୍ଯ୍ୟକଳାପକୁ ଭାରତ ତୀବ୍ର ବିରୋଧ କରିବା ସହ ପାକିସ୍ତାନର ଡେପୁଟି ହାଇ କମିସନର ସୟଦ ହାଇଦର ଶାହଙ୍କୁ ଆଜି ସମନ କରିଛି। ଇସ୍‌୍‌ଲାମାବାଦରେ ମଧ୍ୟ ଭାରତୀୟ ହାଇ କମିସନର ପାକିସ୍ତାନର ଆକ୍ରୋଶମୂଳକ ନୀତିର ବିରୋଧ କରି ଏହା ଦ୍ୱିପାକ୍ଷିକ ଓ ଅନ୍ତର୍ଜାତୀୟ ଚୁକ୍ତିର ଉଲ୍ଲଂଘନ ବୋଲି କହିଛନ୍ତି।
ବିସାରିଆଙ୍କର ଆଜି ଜନ୍ମଦିନ ଥିଲା। ସେ ତାଙ୍କ ପତ୍ନୀଙ୍କ ସହ ଗୁରୁଦ୍ୱାର ପଞ୍ଜ ସାହିବ୍‌ ଯାଇଥିଲେ। କିନ୍ତୁ ସମସ୍ତ ଆବଶ୍ୟକୀୟ ଅନୁମତି ଆଣିଥିବା ସତ୍ତ୍ୱେ ପାକିସ୍ତାନ ବିସାରିଆଙ୍କୁ ଗୁରୁଦ୍ୱାରରେ ପ୍ରବେଶ କରାଇ ନଦେବାରୁ ବିସାରିଆ ଇସଲାମାବାଦ୍‌ ଫେରି ଆସିଛନ୍ତି। ପାକିସ୍ତାନ କର୍ତ୍ତୃପକ୍ଷ ଏ ବାବଦରେ କାରଣ ଦର୍ଶାଇ କହିଛନ୍ତି ଯେ ବିସାରିଆଙ୍କୁ ପାକିସ୍ତାନର ଶିଖ୍‌ ସମୁଦାୟ ମଧ୍ୟ ବିରୋଧ କରୁଛନ୍ତି। ଭାରତରେ ଶିଖ୍‌୍‌ ସଂପ୍ରଦାୟ ପ୍ରତି ଅନ୍ୟାୟ କରାଯାଇଥିବା ଦର୍ଶାଇ ଏଠାରେ ଶିଖ୍‌୍‌ମାନେ ଏହି ଗସ୍ତକୁ ବିରୋଧ କରିଥିଲେ ବୋଲି ପାକିସ୍ତାନ ଆଳ ଦେଖାଇଛି। ତେବେ ବିସାରିଆଙ୍କୁ ଆଜି ଦ୍ୱିତୀୟ ଥର ପାଇଁ ଗୁରୁଦ୍ୱାର ସାହିବ୍‌କୁ ଯିବାକୁ ଅନୁମତି ନଦେଇ ପାକିସ୍ତାନ କର୍ତ୍ତୃପକ୍ଷ ପଦାରେ ପଡ଼ିଯାଇଛନ୍ତି। ଗତ ଏପ୍ରିଲ ମାସରେ ବିସାରିଆଙ୍କ ସମେତ ଅନ୍ୟ ଭାରତୀୟ ଅଧିକାରୀମାନଙ୍କୁ ପାକିସ୍ତାନ ଗୁରୁଦ୍ୱାରରେ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ଗୁରୁଦ୍ୱାରରେ ଥିବା ଶିଖ୍‌ ତୀର୍ଥଯାତ୍ରୀଙ୍କୁ ସେ ଆଦୌ ଭେଟି ପାରିବେ ନାହିଁ ବୋଲି ପାକ୍‌ କର୍ତ୍ତୃପକ୍ଷ ଜଣାଇ ଦେଇଥିଲେ। ଭାରତ ସେତେବେଳେ ମଧ୍ୟ ପାକିସ୍ତାନର ଏଭଳି କାର୍ଯ୍ୟର ତୀବ୍ର ବିରୋଧ କରିଥିଲା।

ସମ୍ବନ୍ଧିତ ଖବର