ଋଷିଆ ଆଡ଼କୁ ଢଳୁଛି ପାକିସ୍ତାନ

ଇସଲାମାବାଦ: ଦୁଇ ପୁରୁଣା ବନ୍ଧୁ ପାକିସ୍ତାନ ଓ ଆମେରିକା ମଧ୍ୟରେ ସଂପର୍କ ଦିନକୁ ଦିନ ଖରାପ ହେଉଥିବାରୁ ପାକିସ୍ତାନର ଚିନ୍ତା ବଢିଚାଲିଛି । ପାକିସ୍ତାନକୁ ସବୁ ସାମରିକ ସହାୟତା ବନ୍ଦ କରିବା ପାଇଁ ଆମେରିକା ନିଷ୍ପତ୍ତି ନେବା ପରେ ପାକିସ୍ତାନ ବିକଳ୍ପ ଯୋଜନା କରୁଛି । ଏଥିଲାଗି ଇସଲାମାବାଦ ଏବେ ଆମେରିକାର ଚିରାଚରିତ ପ୍ରତିଦ୍ୱନ୍ଦୀ ଋଷିଆ ଆଡ଼କୁ ଢଳିବା ଆରମ୍ଭ କରିଛି । ତେବେ ଭାରତର ପରମ ବନ୍ଧୁ ଋଷିଆ ପାକିସ୍ତାକୁ କିପରି ସହାୟତା କରିପାରିବ ସେ ନେଇ ବିଶେଷଜ୍ଞମାନେ ସନ୍ଦିହାନ ଅଛନ୍ତି ।

ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ଖୁରାମ ଦସ୍ତଗିର ଖାଁ କହିଛନ୍ତି ଯେ ତାଙ୍କ ଦେଶ ଏବେ ଋଷିଆ ଓ ଚୀନ ସହ ସାମରିକ ସହଯୋଗକୁ ସୁଦୃଢ କରୁଛି । ଗତ ତିନି ବର୍ଷରେ ପାକିସ୍ତାନ ଋଷିଆଠାରୁ କେତୋଟି ସାମରିକ ହେଲିକାପ୍ଟର ଖରିଦ କରିଛି । ମୋଟାମୋଟିଭାବେ ପାକିସ୍ତାନ ନିଜର ସାମରିକ ଓ ବୈଦେଶିକ ନୀତିକୁ ବଦଳାଉଛି । ଆଗାମୀ ଦିନରେ ଋଷିଆଠାରୁ ଆହୁରି ଅନେକ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ପାକ୍‌ ଯୋଜନା କରୁଛି । କିନ୍ତୁ ସୁଖୋଇ ଉଡାଜାହଜ କିଣିବା ପାଇଁ ଏବେ କୌଣସି ଯୋଜନା ନଥିବା ସେ କହିଛନ୍ତି ।

ଗତ ଡିସେମ୍ବରରେ ଆମେରିକା ପାକିସ୍ତାନକୁ ପ୍ରାୟ ୨୨୫ ନିୟୁତ ଡଲାରର ସାମରିକ ସହାୟତା ବନ୍ଦ କରିବାକୁ ସଂକେତ ଦେଇଥିଲା । ଆତଙ୍କବାଦ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଏହି ସହାୟତା ବନ୍ଦ କରାଯିବ ବୋଲି ଟ୍ରମ୍ପ ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଗତ ବର୍ଷ ନିଜର ଦକ୍ଷିଣ ଏସିଆ ନୀତି ଘୋଷଣା କଲା ବେଳେ ପାକିସ୍ତାନ ନ ସୁଧୁରିଲେ, ଦୃଢ କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିଲେ ଟ୍ରମ୍ପ ।

ସମ୍ବନ୍ଧିତ ଖବର