ହିନ୍ଦୁ ମନ୍ଦିର ଉପରେ ଆକ୍ରମଣକୁ ପାକ୍ ସଂସଦର ନିନ୍ଦା

ଇସଲାମାବାଦ : ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ପାକିସ୍ତାନ ସଂସଦରେ ନିନ୍ଦା କରାଯାଇଛି । ଏ ନେଇ ଗତକାଲି ଏକ ନିନ୍ଦା ପ୍ରସ୍ତାବ ସଂସଦରେ ଗୃହୀତ ହୋଇଛି । ଏହି ଘଟଣାରେ ଦୋଷୀ ଲୋକମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ସଂଖ୍ୟାଲଘୁଙ୍କ ଉପାସନାପୀଠଗୁଡ଼ିକର ସୁରକ୍ଷା କରାଯିବ ବୋଲି ସଂସଦ ପକ୍ଷରୁ କୁହାଯାଇଛି । ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ ପାକିସ୍ତାନ ସୁପ୍ରିମକୋର୍ଟ ମଧ୍ୟ ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିସାରିଛନ୍ତି ।

ଗତ ୪ ତାରିଖ ଦିନ ପାକିସ୍ତାନର ପଂଜାବ ପ୍ରଦେଶ ଅନ୍ତର୍ଗତ ରହିମ-ୟାର-ଖାଁ ଜିଲ୍ଲାର ଭୋଙ୍ଗ ସହରରେ ଥିବା ସିଦ୍ଧିବିନାୟକ ମନ୍ଦିରକୁ କେତେକ ଲୋକ ଭଙ୍ଗାରୁଜା କରିବା ସହ ଜାଳି ଦେଇଥିଲେ । ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଲୋକମାନେ ଉତ୍ତେଜିତ ହୋଇ ଏହି କାଣ୍ଡ ଘଟାଇଥିବା କୁହାଯାଉଛି । ଏପରିକି ଘଟଣାସ୍ଥଳରେ ପୁଲିସ ଥିଲେ ବି ଏଥିରେ ହସ୍ତକ୍ଷେପ କରିନଥିଲା । ଏହି ଘଟଣାକୁ ନେଇ ଭାରତ ସରକାର ପାକିସ୍ତାନୀ ଦୂତାବାସ ମୁଖ୍ୟଙ୍କୁ ଡକାଇ ତୀବ୍ର ପ୍ରତିବାଦ ଜଣାଇଥିଲେ । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଥିଲେ ଯେ ପାକିସ୍ତାନରେ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଧର୍ମୀୟ ସ୍ବାଧୀନତା ଓ ସେମାନଙ୍କ ଉପାସନାପୀଠଗୁଡ଼ିକ ଉପରେ ଆକ୍ରମଣ ବଢିଚାଲିଛି । ଏହା ଏକ ଚିନ୍ତାର ବିଷୟ ।

ସମ୍ବନ୍ଧିତ ଖବର