ଏଲ୍‌ଓସି ନିକଟରେ ପାକ୍‌ ଏଫ୍‌ଏମ୍‌ ଷ୍ଟେସନ୍‌

ନୂଆଦିଲ୍ଲୀ : ଭାରତର ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍‌ କରିବାପାଇଁ ପାକିସ୍ତାନ ଲଗାତାର ଷଡ଼ଯନ୍ତ୍ର କରୁଛି। ଏଲ୍‌ଓସି ନିକଟରେ ସ୍ବତନ୍ତ୍ର କମାଣ୍ଡୋ ମୁତୟନ କରିଥିବା ପାକିସ୍ତାନ ଏବେ ପୁଣି ନୂଆ ଏଫଏମ୍‌ ଟ୍ରାନ୍ସମିସନ୍‌ ଷ୍ଟେସନ୍‌ ପ୍ରତିଷ୍ଠା କଲାଣି। ଆତଙ୍କବାଦୀଙ୍କ ସହ ଯୋଗାଯୋଗ କରିବାପାଇଁ ଏହି ଏଫ୍‌ଏମ୍‌ ଷ୍ଟେସନ୍‌ର ବ୍ୟବହାର ହେବ ଏବଂ ଏଥିସହ ସୀମାବର୍ତ୍ତୀ ଗ୍ରାମର ଲୋକମାନଙ୍କୁ ଭୁଲ୍‌ ବାଟରେ ନେବାପାଇଁ ମଧ୍ୟ ଏହି ଏଫ‌ଏମ୍‌ ଷ୍ଟେସନ୍‌ର ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ସେହିପରି ପିଓକେରେ ବର୍ତ୍ତମାନ ଥିବା କେତେକ ପୁରୁଣା ଏଫଏମ୍‌ ଟ୍ରାନ୍ସମିସନ୍‌ ‌ଷ୍ଟେସନ୍‌ଗୁଡ଼ିକୁ ମଧ୍ୟ ପାକିସ୍ତାନ ସେନା ଏଲ୍‌ଓସି ନିକଟକୁ ଆଣିଥିବା ଜଣାପଡ଼ିଛି। ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ପାକିସ୍ତାନ ବିଶ୍ବ ସମୁଦାୟର ସହଯୋଗ ନପାଇ ହତାଶ ହେବାପରେ ଏବେ ଭାରତ ବି‌ରୋଧୀ କାର୍ଯ୍ୟକୁ ଜୋରଦାର କରିଛି। ପାକିସ୍ତାନ ଏଲ୍‌ଓସିରେ ଉତ୍ତେଜନା ବଢ଼ାଇବା ବରଂ ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ‌ମଧ୍ୟ ଯୋଜନା କରୁଛି। ଜେଇଏମ୍‌ ଆତଙ୍କବାଦୀ ଗୋଷ୍ଠୀ ଏବେ ଭାରତରେ ସମୁଦ୍ର ପଥ ଦେଇ ଆକ୍ରମଣପାଇଁ ତାଲିମ ‌ନେଉଛନ୍ତି। ତେବେ ଏଦିଗରେ କଡ଼ା ସତର୍କତା ଅବଲମ୍ବନ କରାଯାଇଛି ବୋଲି ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର