କାଶ୍ମୀରରେ ଭାରତ ଜବରଦସ୍ତି ନଦୀବନ୍ଧ ନିର୍ମାଣ କରି ପାଣି ଅଟକାଉଛି : ପାକିସ୍ତାନ

ନୂଆଦିଲ୍ଲୀ: ଭାରତରୁ ପାକିସ୍ତାନ ଯାଇଥିବା ନଦୀ ଗୁଡ଼ିକ ଉପରେ ଭାରତ ନଦୀବନ୍ଧ ନିର୍ମାଣ କରୁଥିବାରୁ ପାକିସ୍ତାନ ତାହାର ବିରୋଧ କରିଛି । ଏହା ସିନ୍ଧୁ ନଦୀ ଜଳବଣ୍ଟନ ଚୁକ୍ତିର ଉଲ୍ଲଙ୍ଘନ ବୋଲି ପାକିସ୍ତାନ ଅଭିଯୋଗ କରିଛି । ଏଠାରେ ଅନୁଷ୍ଠିତ ହୋଇଥିବା ଭାରତ-ପାକିସ୍ତାନ ସ୍ଥାୟୀ ସିନ୍ଧୁ ଆୟୋଗର ବୈଠକ ଅବସରରେ ପାକିସ୍ତାନ ପକ୍ଷରୁ ଏହି ଆପତ୍ତି ଉଠାଯାଇଛି ।

ଭାରତ ପକ୍ଷରୁ ଜାମ୍ମୁ ଓ କାଶ୍ମୀରରେ ଥିବା ଚେନାବ ନଦୀରେ ଦୁଇଟି ନଦୀବନ୍ଧ ନିର୍ମାଣ କରାଯାଉଛି । ଗୋଟିଏ ହେଉଛି ଚେନାବ ନଦୀର ଉପନଦୀ ମାରୁସାଦାର ନଦୀରେ ନିର୍ମାଣାଧୀନ ୧୦୦୦ ମେଗାଓ୍ଵାଟ୍‌ର ପକଲ ଡୁଲ ଡ୍ୟାମ ଓ ୪୮ ମେଗାଓ୍ଵାଟର କଲନାଇ ଡ୍ୟାମ । ଏହି ଡ୍ୟାମ ନିର୍ମାଣ ଦ୍ୱାରା ଭାରତ ସିନ୍ଧୁ ଜଳବଣ୍ଟନ ଆଇନର ଉଲ୍ଲଙ୍ଘନ କରିଛି ବୋଲି ପାକିସ୍ତାନର ପ୍ରତିନିଧି କହିଛନ୍ତି । ଭାରତ ତୁରନ୍ତ ଏହି ଡ୍ୟାମର ଡିଜାଇନ ପ୍ରଦାନ କରୁବୋଲି ସେ ଦାବି କରିଛନ୍ତି । ଅନ୍ୟପକ୍ଷରେ ଭାରତ କହିଛି ଯେ ଡ୍ୟାମ ନିର୍ମାଣ କରି ଚୁକ୍ତି ଉଲ୍ଲଙ୍ଘନ କରାଯାଇନାହିଁ, କାରଣ ଏହା ଦ୍ୱାରା ନଦୀ ଜଳ ପ୍ରବାହକୁ ଅଟକା ଯିବ ନାହିଁ । କିଛିଦନତଳେ ଭାରତର ଜଳସଂପଦ ମନ୍ତ୍ରୀ ନିତିନ ଗଡ଼କରୀ କହିଥିଲେ ଯେ ସିନ୍ଧୁ ନଦୀ ଜଳବଣ୍ଟନ ଚୁକ୍ତି ଅନୁସାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ବଣ୍ଟନ ହେଉଛି । ତେବେ ଭାରତ ନିଜ ଭାଗର ଅଧିକାଂଶ ଜଳ ମଧ୍ୟ ପାକିସ୍ତାନକୁ ପ୍ରଦାନ କରୁଛି । ନେହେରୁଙ୍କ ଅମଳରୁ ଏପରି ଚଳିଆସିଛି । କିନ୍ତୁ ଆମ ଦେଶରେ ଜଳ ଅଭାବ ଥିବାବେଳେ ଆମ ଭାଗ ଜଳ ଆମଦେଶରେ ବିନିଯୋଗ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ କାଶ୍ମୀରରେ ଡ୍ୟାମ ନିର୍ମାଣ କରାଯାଉଛି । ଆହୁରି ମଧ୍ୟ ଉତ୍ତରାଖଣ୍ଡରେ ଆଉ ତିନୋଟି ଡ୍ୟାମ ନିର୍ମାଣ କରାଯିବ ।

ସୂଚନାଯୋଗ୍ୟ ଯେ ହିମାଳୟରୁ ବାହାରି ଥିବା ୬ଟି ନଦୀ ଭାରତ ବାଟଦେଇ ପାକିସ୍ତାନକୁ ଯାଉଛନ୍ତି ସେଗୁଡ଼ିକ ହେଲେ ସିନ୍ଧୁ, ରବି, ଚେନାବ,ଝେଲମ, ସତଲେଜ ଓ ବ୍ୟାସ । ୧୯୬୦ର ସିନ୍ଧୁ ନଦୀ ଜଳବଣ୍ଟନ ଚୁକ୍ତି ଅନୁସାରେ ବ୍ୟାସ, ସତଲେଜ ଓ ରବି ଭାରତ ନିୟନ୍ତ୍ରଣରେ ରହିଥିବାବେଳେ ଅନ୍ୟତିନୋଟି ନଦୀ ପାକିସ୍ତାନ ନିୟନ୍ତ୍ରଣରେ ଅଛି ।

ସମ୍ବନ୍ଧିତ ଖବର