ଜେନିଭା : ନିଜ ଦେଶର ଲୋକେ ଯେତେବେଳେ ଭୀଷଣ କଷ୍ଟରେ ଅଛନ୍ତି, ସେମାନଙ୍କ ସମସ୍ୟା ଦୂର କରିବା ବଦଳରେ ପାକିସ୍ତାନ ସରକାର ଭାରତ ବିରୋଧରେ ଅପପ୍ରଚାର ଚଳାଇଛନ୍ତି ବୋଲି ଭାରତ ପକ୍ଷରୁ ଜାତିସଂଘରେ କୁହାଯାଇଛି ।

Advertisment

ପାକିସ୍ତାନର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହିନା ରବ୍ବାନୀ ଖାର ଜାତିସଂଘ ମାନବାଧିକାର ପରିଷଦ (ୟୁଏନଏଚଆରସି)ରେ ପୁଣି ଥରେ ଭାରତ ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ପରେ ଭାରତ ପକ୍ଷରୁ ତାହାର କଡ଼ା ଜବାବ ଦିଆଯାଇଛି ।

ହିନା ରବ୍ବାନୀଙ୍କ ଅଭିଯୋଗର ଜବାବ ଦେଇ ଜେନେଭାରେ ଥିବା ଭାରତୀୟ କୂଟନୀତିଜ୍ଞ ସୀମା ପୁଜାନୀ ପାକିସ୍ତାନକୁ ଆତଙ୍କବାଦ ବିସ୍ତାର କରୁଥିବା ଦେଶ ବୋଲି ବର୍ଣ୍ଣନା କରିଛନ୍ତି। ପାକିସ୍ତାନ ଭାରତ ବିରୋଧରେ ଅପପ୍ରଚାର କରୁଛି ବୋଲି ଭାରତ କହିଛି । ପୂରା କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖ ଭାରତର ଅଂଶ ଥିଲା, ଅଛି ଏବଂ ରହିବ ବୋଲି ପୂଜାନୀ କହିଛନ୍ତି।

ଭାରତ ବିରୋଧରେ ଅପପ୍ରଚାର ପାଇଁ ପାକିସ୍ତାନର ପ୍ରତିନିଧି ପୁଣି ଥରେ ଏହି ସମ୍ମାନଜନକ ପ୍ଲାଟଫର୍ମର ଅପବ୍ୟବହାର କରିଛନ୍ତି। ମାନବିକ ଅଧିକାରକୁ ନେଇ ପାକିସ୍ତାନର ଆଲୋଚନା ଏକ ମଜାକ୍ । ଗତ ଏକ ଦଶନ୍ଧି ମଧ୍ୟରେ ପାକିସ୍ତାନର ନିଜସ୍ୱ ତଦନ୍ତ କମିସନଙ୍କ ନିକଟରେ ୮,୪୬୩ଟି ନିଖୋଜ ଅଭିଯୋଗ ଆସିଛି ।

ଗୋଟିଏ ପଟେ ଏଠାକାର ଜନସାଧାରଣ ନିଜ ଜୀବନ, ଜୀବିକା ଓ ସ୍ୱାଧୀନତା ପାଇଁ ସଂଘର୍ଷ କରୁଥିବା ବେଳେ ଅନ୍ୟପଟେ ଏହି ଦେଶ ଭାରତ ବିରୋଧରେ ଅପପ୍ରଚାର କରୁଛି । ଏହା ପାକିସ୍ତାନର ଭୁଲ ପ୍ରାଥମିକତାର ସଙ୍କେତ। ମୁଁ ଏହାର ନେତୃତ୍ୱ ଏବଂ ଅଧିକାରୀମାନଙ୍କୁ ପରାମର୍ଶ ଦେବି ଯେ ସେମାନେ ସେମାନଙ୍କ ଶକ୍ତିର ସଠିକ ବ୍ୟବହାର କରନ୍ତୁ ଏବଂ ଲୋକଙ୍କ କାର୍ଯ୍ୟ କରିବା ଉପରେ ଧ୍ୟାନ ଦିଅନ୍ତୁ ।