ପାକ୍ ଅଧିକୃତ କଶ୍ମୀର ଭାରତର ଅଂଶ ଥିଲା, ଅଛି ଓ ରହିବ: ରାଜନାଥ ସିଂହ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ଏହା ସର୍ବଦା ରହିବ। ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଦିନ ଜମ୍ମୁରେ ‘କାର୍ଗିଲ ବିଜୟ ଦିବସ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଦିନ ୨୩ତମ କାର୍ଗିଲ ବିଜୟ ଦିବସ ଅବସରରେ ଭାରତୀୟ ସେନାର ସର୍ବୋଚ୍ଚ ବଳିଦାନକୁ ମନେ ପକାଇ କହିଛନ୍ତି ଯେ ପାକିସ୍ତାନ ଅଧିକୃତ କାଶ୍ମୀର ହେଉଛି ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏଥିସହିତ ସେ କହିଛନ୍ତି ଯେ ବାବା ଅମରନାଥ ଭାରତରେ ଏବଂ ମା’ ଶାରଦା ନିୟନ୍ତ୍ରଣ ରେଖାର ସେପଟେ ରହିବା କିପରି ସମ୍ଭବ?

ଶାରଦା ପୀଠ ବିଷୟରେ ଉଲ୍ଲେଖ କରି ରାଜନାଥ ସିଂ କହିଛନ୍ତି, ପିଓକେ ଉପରେ ସଂସଦରେ ଏକ ପ୍ରସ୍ତାବ ପାରିତ ହୋଇଛି। ପାକିସ୍ତାନ ଅଧିକୃତ କଶ୍ମୀର, ଭାରତର ଏକ ଅଂଶ ଥିଲା, ଅଛି ଏବଂ ରହିବ। ଏହା କିପରି ସମ୍ଭବ ହୋଇପାରିବ ଯେ ବାବା ଅମରନାଥ ଆମ ସହ ରହିବେ ଏବଂ ମା’ ଶାରଦା ଶକ୍ତି ନିୟନ୍ତ୍ରଣ ରେଖାର ଅପର ପାର୍ଶ୍ୱରେ ରହିବେ। ଶାରଦା ପୀଠ ହେଉଛି ହିନ୍ଦୁ ଦେବୀ ସରସ୍ୱତୀଙ୍କ ମନ୍ଦିର, ଯାହା ଶାରଦା ନାମରେ ମଧ୍ୟ ଜଣାଶୁଣା।

ସେ ଆହୁରି କହିଥିଲେ ଯେ, ଏବେ ଭାରତ କାହାକୁ ଡରୁନାହିଁ। ଏବେର ଭାରତ ଶକ୍ତିଶାଳୀ ଏବଂ ଆତ୍ମବିଶ୍ବାସୀ, ଯିଏ ଭାରତ ଆଡ଼କୁ ଆଖି ଉଠାଇ ଦେଖୁଥିବା ଶତ୍ରୁକୁ ଉଚିତ ଜବାବ ଦେଇଜାଣେ। ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀର ଲୋକଙ୍କ ପାଇଁ ଏହା ଏକ ନୂତନ ଆଶା ଆଣିଦେଇଛି। କାର୍ଗିଲ ବିଜୟ ଦିବସ ପାଳନ କରିବା ପାଇଁ ଜମ୍ମୁ-କଶ୍ମୀର ପିପୁଲ୍ସ ଫୋରମ ନେଇଥିବା ପଦକ୍ଷେପକୁ ମୁଁ ପ୍ରଶଂସା କରୁଛି।

ସମ୍ବନ୍ଧିତ ଖବର