ଇସ୍ଲାମାବାଦ : ଗତକାଲି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଥିଲେ ଯେ ଭାରତ ସହ ସ୍ବାକ୍ଷରିତ ସିମଲା ଚୁକ୍ତି ଏକ ମୃତ ଦଲିଲ ହୋଇଯାଇଛି । ଏହା ସହିତ ଦୁଇ ଦେଶ ୧୯୪୮ର ସ୍ଥିତିକୁ ଫେରିଯାଇଛନ୍ତି, ଯେତେବେଳେ ଜାତିସଂଘ ନିୟନ୍ତ୍ରଣ ରେଖାକୁ ଯୁଦ୍ଧ ବିରତି ରେଖା ଭାବେ ଘୋଷଣା କରିଥିଲା ।
କିନ୍ତୁ ଠିକ ଦିନକ ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ତାଙ୍କର ଏହି ବୟାନକୁ ଖାରଜ କରିଦେଇଛି । ସିମଲା ଚୁକ୍ତି ସମେତ ଭାରତ ସହ ଥିବା କୌଣସି ଦ୍ବିପାକ୍ଷିକ ଚୁକ୍ତିନାମା ରଦ୍ଦ କରିବାକୁ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ପାକ୍ ବୈଦେଶିକ ମନ୍ତ୍ରାଳୟ କହିଛି ।
ପାକ୍ ବୈଦେଶିକ ମନ୍ତ୍ରଣାଳୟ କହିଛି “ସାମ୍ପ୍ରତିକ ଘଟଣାକ୍ରମ ପରେ, ଇସଲାମାବାଦରେ ଆଭ୍ୟନ୍ତରୀଣ ଆଲୋଚନା ତୀବ୍ର ହୋଇଛି, କିନ୍ତୁ ଭାରତ ସହିତ ବିଦ୍ୟମାନ ଚୁକ୍ତିନାମାକୁ ବାତିଲ କରିବା ପାଇଁ କୌଣସି ସରକାରୀ ପଦକ୍ଷେପ ନିଆଯାଇନାହିଁ। ଏ ସମସ୍ତ ଚୁକ୍ତି ଏବେ ବି କାର୍ଯ୍ୟକ୍ଷମ ରହିଛି ।“
ଗତ ମେ ମାସ ୬-୭ ରାତିରେ ଭାରତ ପକ୍ଷରୁ କରାଯାଇଥିବା ଅପରେସନ ସିନ୍ଦୂର ପରେ ମଧ୍ୟ ଆସିଫ କହିଥିଲେ ଯେ ଭାରତ ସହ ସିମଲା ଚୁକ୍ତିର ଆଉ କୌଣସି ପ୍ରାସଙ୍ଗିକତା ନାହିଁ ।