ଇସ୍ଲାମାବାଦ : ଗତ କିଛି ମାସ ଧରି ପାକିସ୍ତାନ ଆମେରିକାକୁ ବିଭିନ୍ନ ଉପାୟରେ ସନ୍ତୁଷ୍ଟ କରିବାକୁ ଚାଟୁକାରିତା କରିଚାଲିଛି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ପାକିସ୍ତାନକୁ ନିଜର ପରମ ହିତେଷୀ ବୋଲି ଭାବୁଛନ୍ତି । କିନ୍ତୁ ଏବେ ପୁଣି ପାକିସ୍ତାନ ନିଜର ଅସଲି ଚରିତ୍ର ଦେଖାଇଛି । ଟ୍ରମ୍ପଙ୍କ ୨୦-ସୂତ୍ରୀ ଗାଜା ଶାନ୍ତି ପ୍ରସ୍ତାବକୁ ପାକିସ୍ତାନ ବିରୋଧ କରିଛି । ପାକିସ୍ତାନ ଏହି ଶାନ୍ତି ପ୍ରସ୍ତାବର ବ୍ଲୁପ୍ରିଣ୍ଟକୁ ପାକିସ୍ତାନ ମୁସଲିମ ଦେଶମାନଙ୍କ ଦ୍ୱାରା ଉପସ୍ଥାପିତ ଡ୍ରାଫ୍ଟ ଯୋଜନାଠାରୁ ଭିନ୍ନ ବୋଲି ବର୍ଣ୍ଣନା କରିଛି।
ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସାକ ଡାରଙ୍କ କହିଛନ୍ତି ଯେ ସେପ୍ଟେମ୍ବର ୨୨ ତାରିଖରେ ଟ୍ରମ୍ପଙ୍କ ସହ ଏକ ବୈଠକରେ ମୁସଲିମ ଦେଶମାନେ ସ୍ପଷ୍ଟ ଭାବରେ କହିଥିଲେ ଯେ ଇସ୍ରାଏଲୀ ସେନାକୁ ଗାଜାରୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯିବା ଉଚିତ। ତଥାପି, ଟ୍ରମ୍ପଙ୍କ ଯୋଜନାରେ କେବଳ ଆଂଶିକ ପ୍ରତ୍ୟାହାର ପାଇଁ ହମାସ ଦ୍ୱାରା ବନ୍ଧକମାନଙ୍କୁ ମୁକ୍ତ କରିବାକୁ କୁହାଯାଇଛି।
ପାକିସ୍ତାନୀ ସଂସଦରେ ଭାଷଣ ଦେଇ ଇସାକ ଡାର କହିଛନ୍ତି, "ମୁଁ ସ୍ପଷ୍ଟ କରିଦେଇଛି ଯେ ଟ୍ରମ୍ପଙ୍କ ଦ୍ୱାରା ସାର୍ବଜନୀନ କରାଯାଇଥିବା ୨୦ ପଏଣ୍ଟ ଆମର ପ୍ରସ୍ତାବ ସହିତ ମେଳ ଖାଉନାହିଁ। ଏଥିରେ ଅନେକ ପରିବର୍ତ୍ତନ କରାଯାଇଛି, ଯାହା ଆମେ ଡ୍ରାଫ୍ଟରେ ପ୍ରଦାନ କରିଥିଲୁ।"