କୁଳଭୂଷଣ ଯାଦବ ମାମଲା : ଅନ୍ତର୍ଜାତୀୟ ନ୍ୟାୟାଳୟ ରାୟ ପାଳନ ପାଇଁ ଅଧ୍ୟାଦେଶ ଆଣିବେ ପାକ୍‌ ସରକାର 

ଇସ୍ଲାମାବାଦ : ପାକିସ୍ତାନରେ ବନ୍ଦୀଥିବା ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ସମ୍ପର୍କରେ ଅନ୍ତର୍ଜାତୀୟ ନ୍ୟାୟାଳୟ ଦେଇଥିବା ରାୟକୁ ପାଳନ କରିବାକୁ ପାକିସ୍ତାନ ସରକାର ନିଜ ଆଇନରେ କେତେକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ଏଥିପାଇଁ  ପାକିସ୍ତାନ ସରକାର ଏକ ଅଧ୍ୟାଦେଶ ଜାରି କରିବେ ।

ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅନ୍ତର୍ଜାତୀୟ ନ୍ୟାୟାଳୟର ରାୟକୁ ପାଳନ କରିବାକୁ ପାକିସ୍ତାନ ସରକାର ପ୍ରସ୍ତୁତ କରିଥିବା ଅଧ୍ୟାଦେଶ ‘ଅନ୍ତର୍ଜାତୀୟ ନ୍ୟାୟାଳୟ (ସମୀକ୍ଷା ଓ ପୁନର୍ବିଚାର) ଅଧ୍ୟାଦେଶ କୁ ପାକିସ୍ତାନୀ ସଂସଦ ଅର୍ଥାତ ନ୍ୟାସନାଲ ଆସେମ୍ବ୍ଲିର ଆଇନ ସମ୍ପର୍କିତ ସ୍ଥାୟୀ କମିଟି ମଂଜୁର କରିଛି । ତେବେ ଏହି ଅଧ୍ୟାଦେଶକୁ ପାକିସ୍ତାନର ବିରୋଧୀ ଦଳମାନେ ତୀବ୍ର ବିରୋଧ କରିଥିଲେ ।  ଏହି ବିଲ ସଂପର୍କରେ ମତ ରଖି ପାକିସ୍ତାନର ଆଇନ ମନ୍ତ୍ରୀ ଫାରୁକ ନସିମ କହିଛନ୍ତି ଯେ  ଅନ୍ତର୍ଜାତୀୟ ନ୍ୟାୟାଳୟର ଆଦେଶକୁ ପାଳନ ନ କଲେ ପାକିସ୍ତାନ ବିରୁଦ୍ଧରେ ଅନ୍ତର୍ଜାତୀୟ ସ୍ତରରେ କଟକଣା ଲାଗି ପାରେ ।

ସୂଚନାଯୋଗ୍ୟ ଯେ ଗୁପ୍ତଚରବୃତ୍ତି ଅଭିଯୋଗରେ ପାକିସ୍ତାନର ଏକ ସେନା ଅଦାଲତ ୨୦୧୭ ଏପ୍ରିଲ ମାସରେ କୂଳଭୂଷଣଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ । ଏହି ରାୟକୁ ଚ୍ୟାଲେଞ୍ଜ କରି ଭାରତ ସରକାର ୨୦୧୭ରେ ଅନ୍ତର୍ଜାତୀୟ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ବିଚାର କରି ଅନ୍ତର୍ଜାତୀୟ ନ୍ୟାୟାଳୟ ୨୦୧୯ ଜୁଲାଇରେ କୁଳଭୂଷଣଙ୍କୁ ତୁରନ୍ତ କନସୁଲାର ଆକସେସ ପ୍ରଦାନ ସହ ତାଙ୍କ ମୃତ୍ୟୁଦଣ୍ଡ ରାୟର ସମୀକ୍ଷା ଓ ପୁନର୍ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର