ପାକିସ୍ତାନରେ ତେଜିଲା ରାଜନୈତିକ ଅସ୍ଥିରତା :  ବିରୋଧୀ ସାଂସଦ ଲୁଚିଥିବା ସିନ୍ଧ ହାଉସରେ ଜବରଦସ୍ତି ପଶିଲେ ଶାସକ ଦଳର ସାଂସଦ

ଇସ୍ଲାମାବାଦ : ପାକିସ୍ତାନରେ ରାଜନୈତିକ ସଂକଟ ଆହୁରି ଗଭୀର ହୋଇଛି । ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ବିରୋଧୀ ଦଳର ସାଂସଦମାନେ ରହୁଥିବା ସିନ୍ଧ ହାଉସକୁ ଆଜି ଇମ୍ରାନଙ୍କ ଦଳ ପିଟିଆଇ (ପାକିସ୍ତାନ ତେହରିକ-ଏ-ଇନସାଫ)ର କର୍ମୀମାନେ ଜବରଦସ୍ତି ପ୍ରବେଶ କରିଛନ୍ତି । ପାକିସ୍ତାନର ସରକାରଙ୍କ କେତେକ ମନ୍ତ୍ରୀ ମଧ୍ୟ ଏହି କର୍ମୀମାନଙ୍କ ନେତୃତ୍ବ ନେଇ ସିନ୍ଧ ହାଉସରେ ପ୍ରବେଶ କରିଛନ୍ତି । ଏପରି ଲଙ୍କାକାଣ୍ଡ ଚାଲିଥିବାବେଳେ ପୁଲିସ ନିରବଦ୍ରଷ୍ଟା ସାଜିଥିଲା ବୋଲି ବିରୋଧୀ ଦଳ କହିଛନ୍ତି ।

ଆସ୍ଥାଭୋଟ ପୂର୍ବରୁ ବିରୋଧୀ ଦଳ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଓ ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ୍ (ପିଏମଏଲ-ଏନ)ର ସାଂସଦମାନେ ସିନ୍ଧ ହାଉସରେ ରହୁଛନ୍ତି । ପିଟିଆଇର କେତେକ ସାଂସଦ ବି ସେମାନଙ୍କ ସହ ରହୁଛନ୍ତି ।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଆସନ ପ୍ରତି ବିପଦ ବଢିଚାଲିଛି । ବିରୋଧୀ ଦଳ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବାବେଳେ ଖୋଦ ଇମ୍ରାନଙ୍କ ନିଜ ଦଳ (ପାକିସ୍ତାନ ତେହରିକ-ଏ-ଇନସାଫ)ରେ  ବିଦ୍ରୋହ ଦେଖାଗଲାଣି । ଦଳର ପ୍ରାୟ ଦୁଇ ଡଜନ ସାଂସଦ ଖୋଲାଖୋଲି ଇମ୍ରାନଙ୍କ ବିରୋଧରେ ଭୋଟ ଦେବାକୁ ଧମକ ଦେଇଛନ୍ତି । ଜଣେ ପିଟିଆଇ ସାଂସଦ ରାଜା ରିଆଜ କହିଛନ୍ତି ଯେ ଇମ୍ରାନ ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ପାକିସ୍ତାନର ପ୍ରମୁଖ ଦୁଇ ବିରୋଧୀ ଦଳ ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ୍ (ପିଏମଏଲ-ଏନ)ଓ ପାକିସ୍ତାନ ପିପୁଲ୍ସ ପାର୍ଟି ପକ୍ଷରୁ ଏହି ଅନସ୍ଥା ପ୍ରସ୍ତାବ ଆଗତ କରାଯାଇଛି । ପାକିସ୍ତାନ ଜାତୀୟ ଆସେମ୍ବଲିକୁ ଦିଆଯାଇଥିବା ଏହି ଅନାସ୍ଥା ପ୍ରସ୍ତାବରେ ୧୦୦ ଜଣ ସାଂସଦ ସ୍ବାକ୍ଷର କରିଛନ୍ତି । ଆସନ୍ତା ୨୮ ତାରିଖରେ ଏହା ଉପରେ ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ଭୋଟ ଗ୍ରହଣ ହେବ ।

ସମ୍ବନ୍ଧିତ ଖବର