ଦୂରଦର୍ଶନ,ଆକାଶବାଣୀରେ ପାକ ଅଧିକୃତ କଶ୍ମୀର ଓ ଗିଲଗିଟ-ବାଲଟିସ୍ତାନର ପାଣିପାଗ ରିପୋର୍ଟ ପ୍ରସାରଣକୁ ପାକିସ୍ତାନର ବିରୋଧ

ଇସ୍ଲାମାବାଦ : ଭାରତୀୟ ପାଣିପାଗ ବିଭାଗ, ରାଷ୍ଟ୍ରୀୟ ପ୍ରସାରଣ ସେବା ଦୂରଦର୍ଶନ ଓ ଆକାଶବାଣୀରେ ପାକ-ଅଧିକୃତ କଶ୍ମୀର, ଗିଲଗିଟ-ବାଲଟିସ୍ତାନର ପାଣିପାଗ ରିପୋର୍ଟ  ପ୍ରସାରଣକୁ ପାକିସ୍ତାନ ତୀବ୍ର ବିରୋଧ କରିଛି । ଏହା ବେଆଇନ ଓ ଜାତିସଂଘ ନିୟମର ବିରୋଧୀ ବୋଲି ପାକିସ୍ତାନ ସରକାର କହିଛନ୍ତି ।

ପାକିସ୍ତାନ ବୈଦେଶିିକ ମନ୍ତ୍ରାଳୟ ପକ୍ଷରୁ କୁହାଯଇଛି ଭାରତ ପକ୍ଷରୁ ଗତ ବର୍ଷ ଜାରି ରାଜନୈତିକ ମାନଚିତ୍ର ଯେପରି ବେଆଇନ ଏହାର ପାଣିପାଗ ରିପୋର୍ଟ ମଧ୍ୟ ବେଆଇନ ଓ ଏହା ଜାତିସଂଘ ସୁରକ୍ଷା ପରିଷଦ ସଂକଳ୍ପର ବିରୁଦ୍ଧାଚରଣ କରୁଛି । ଏହା ଭାରତର  ଦାୟିତ୍ୱହୀନ ଆଚରଣକୁ ଦର୍ଶାଉଛି । କିନ୍ତୁ ଭାରତ ସରକାରଙ୍କ ଏପରି ପଦକ୍ଷେପ କଶ୍ମୀରବାସୀଙ୍କ ଅଧିକାରର ହନନ କରିପାରିବ ନାହିଁ । ଏପରି କାର୍ଯ୍ୟ କରି ଭାରତ ବିଶ୍ୱ ସମୁଦାୟକୁ ଭ୍ରମିତ କରିପାରିବ ନାହିଁ ବୋଲି ପାକିସ୍ତାନ କହିଛି ।

ଭାରତର ପାଣିପାଗ ବିଭାଗ ଏବେ ପାକ ଅଧିକୃତ କଶ୍ମୀର ଓ ଗିଲଗିଟ-ବାଲଟିସ୍ତାନର ବିଭିନ୍ନ ଅଂଚଳ ପାଇଁ ପାଣିପାଗ ଦେଖାଇବା ଆରମ୍ଭ କରିଛି । ଗତ ବର୍ଷ ନଭେମ୍ବରରେ ଭାରତ ସରକାର ଭାରତର ଏକ ନୂଆ ମାନଚିତ୍ର ଜାରି କରିଥିଲେ । ସେଥିରେ ପାକ ଅଧିକୃତ କଶ୍ମୀର ଓ ଗିଲଗିଟ-ବାଲଟିସ୍ତାନକୁ ଭାରତର ଅଂଗ ବୋଲି ଦର୍ଶାଯାଇଥିଲା । ଏହି ମାନଚିତ୍ରକୁ ମଧ୍ୟ ପାକିସ୍ତାନ ବିରୋଧ କରୁଛି ।
ଭାରତ ଗତ ବର୍ଷ ଅଗଷ୍ଟ ମାସରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇବା ସହ ଜମ୍ମୁ ଓ କଶ୍ମୀରକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ ।

ସମ୍ବନ୍ଧିତ ଖବର