କୂଳଭୂଷଣଙ୍କୁ ନେଇ ପାକିସ୍ତାନର ନୂଆ ଚାଲ୍‌ , ଆଉ ଏକ ଭିଡିଓ ଜାରି କଲା

ଭିଡିଓରେ କୌଣସି ସତ୍ୟତା ନାହିଁ : ଭାରତ ସରକାର

ଇସ୍ଲାମାବାଦ: କୂଳଭୂଷଣ ଯାଦବ ମାମଲାରେ ଆଉ ଏକ ଖେଳ ଖେଳିଛି ପାକିସ୍ତାନ । ଏଥର  ପାକ୍‌ ସରକାରଙ୍କ ଦ୍ୱାରା ଆଉ ଏକ ଭିଡିଓ ଜାରି କରାଯାଇଛି, ଯେଉଁଥିରେ ଯାଦବ କହୁଥିବା ଦେଖାଯାଇଛି ଯେ ଭାରତୀୟ ଅଧିକାରୀମାନେ ତାଙ୍କ ମା ଓ ପତ୍ନୀଙ୍କୁ ଧମକାଇ ପାକିସ୍ତାନ ଆଣିଥିଲେ । “ମୋ ମା’ଙ୍କୁ ଭେଟିବା ବେଳେ ସେ ଅତ୍ୟନ୍ତ ଚାପ ଓ ଭୟରେ ଥିବା ଭଳି ଲାଗୁଥିଲେ  । ଭେଟିବା ପରେ ଭାରତୀୟ ଅଧିକାରୀମାନେ ମୋ ମା’ଙ୍କ ଉପରେ କାହିଁକି ରାଗୁଥିଲେ?” ଯାଦବ ଏହି ତଥାକଥିତ ଭିଭିଓରେ କହୁଥିବା ଦେଖାଯାଇଛି ।

ସେ ଆହୁରି ମଧ୍ୟ କହୁଛି ଯେ ତାଙ୍କ ମାଙ୍କ ଆଖିରେ ସେ ଭୟ ସ୍ପଷ୍ଟଭାବେ ବାରିପାରୁଥିଲେ । ଏହା ସହିତ ସେ ଭାରତ ସରକାରଙ୍କୁ ପଚାରୁଛନ୍ତି ଯେ କାହିଁକି ତା ସଂପର୍କରେ ମିଛ କୁହାଯାଉଛି ଯେ ସେ ଭାରତୀୟ ଗୁଇନ୍ଦା ସଂସ୍ଥା ପାଇଁ କାର୍ଯ୍ୟ କରୁନଥିଲା ।

“ମୁଁ ଭାରତ ସରକାରଙ୍କୁ ସ୍ପଷ୍ଟ କରିଦେବାକୁ ଚାହୁଁଛି ଯେ ମୁଁ ଭାରତୀୟ ନୌସେନାର ଜଣେ କମିଶନଡ୍‌ ଅଧିକାରୀ  ଥିଲି । ଆପଣମାନେ ମୋର ଗୁଇନ୍ଦା କାର୍ଯ୍ୟକୁ ନେଇ କାହିଁକି ମିଛ କହିଚାଲିଛନ୍ତି” ଏହି ଭିଡିଓ ମାଧ୍ୟମରେ ଯାଦବ  ସ୍ପଷ୍ଟଭାବେ କହିଥିବା ପାକିସ୍ତାନ ଦାବି କରିଛି ।

ତେବେ ପାକିସ୍ତାନର ଏହି ଭିଡିଓକୁ ଏକ ପ୍ରାୟୋଜିତ ଅପପ୍ରଚାର ବୋଲି ଅଭିହିତ କରିଛି ଭାରତ । ଏହି ଭିଡିଓରେ କୌଣସି ସତ୍ୟତା ନାହିଁ ବୋଲି ଭାରତ ସରକାର କହିଛନ୍ତି । ଏ ସଂପର୍କରେ ଭାରତୀୟ ବିଦେଶ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ପାକିସ୍ତାନର ଏଭଳି ନକଲି ଭିଡିଓକୁ ନେଇ ଆମେ ଆଦୌ ଆଶ୍ଚର୍ଯ୍ୟ ନୋହୁଁ । ସେମାନେ ଜାଣିବା କଥା ଯେ ଏପରି ଅପପ୍ରଚାରର କୌଣସି ଭିତ୍ତି ନଥାଏ । ଏହା ବେଶୀଦିନ ତିଷ୍ଠି ପାରିବ ନାହିଁ ।

ଗତବର୍ଷଠାରୁ ପାକିସ୍ତାନ ଭାରତୀୟ ନଗରିକ କୂଳଭୂଷଣ ଯାଦବଙ୍କୁ ଗୁପ୍ତଚରବୃତ୍ତି ଅଭିଯୋଗରେ ଇରାନ ସୀମାରୁ ଗିରଫ କରି ଜେଲରେ ରଖିଛି । ଗତ ଡିସେମ୍ବର ମାସ ଶେଷ ସପ୍ତାହରେ ପାକିସ୍ତାନ ପକ୍ଷରୁ ପ୍ରଥମ ଥର ପାଇଁ କୂଳଭୂଷଣଙ୍କ ମା ଓ ପତ୍ନୀଙ୍କୁ ଭେଟିବାକୁ ସୁଯୋଗ ଦିଆଯାଇଥିଲା । କିନ୍ତୁ ଉଭୟ ମହିଳାଙ୍କୁ ପାକିସ୍ତାନ ସରକାରଙ୍କ ବ୍ୟବହାରକୁ ନେଇ ଭାରତରେ ପ୍ରବଳ ପ୍ରତିକ୍ରିୟା ଦେଖାଯାଇଥିଲା । ଏହା ମାନବ ଅଧିକାର ଓ ନାରୀ ସମ୍ମାନ ହାନୀ କରୁଛି ବୋଲି ଭାରତର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ସଂସଦରେ କହିଥିଲେ ।

 

 

 

ସମ୍ବନ୍ଧିତ ଖବର