ପାକିସ୍ତାନୀ ଧାର୍ମିକ ନେତା ଖାଦିମ୍‌ ହୁସେନ୍‌ ରିଜ୍‌ୱି ମତେ ହତ୍ୟା କରିବାକୁ ଚାହୁଁଥିଲେ: ତସ୍‌ଲୀମା ନାସ୍‌ରିନ୍‌

ନୂଆଦିଲ୍ଲୀ: ପାକିସ୍ତାନୀ ଧାର୍ମିକ ନେତା ଆଲ୍ଲାମା ଖାଦିମ୍‌ ହୁସେନ୍‌ ରିଜ୍‌ୱି ତାଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ ବୋଲି ଭାରତରେ ଆଶ୍ରୟ ନେଇଥିବା ପ୍ରଖ୍ୟାତ ବାଂଲାଦେଶୀ ଲେଖିକା ତସ୍‌ଲୀମା ନାସରିନ୍‌ ବୁଧବାର ଦିନ କହିଛନ୍ତି।

ଇସ୍‌ଲାମ୍‌ ବିରୋଧୀ ମନ୍ତବ୍ୟ ଯୋଗୁଁ ଅତୀତରେ ଅନେକ ଥର ଫତ୍‌ୱା ଜାରି ହୋଇ ଥିବା ତସ୍‌ଲୀମା ଆହୁରି ମଧ୍ୟ କହିଛନ୍ତି କି, ତାଙ୍କୁ ହତ୍ୟା କରିବାକୁ ରିଜ୍‌ୱି ଇସ୍‌ଲାମ୍‌ର ଦ୍ବାହି ଦେଇ ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ ପ୍ରେରିତ କରିଥିଲେ।

ଟୁଇଟର୍‌ରେ ଧାର୍ମିକ ନେତାଙ୍କ ଭିଡିଓ ସେୟାର୍‌ କରି ତସ୍‌ଲୀମା ଲେଖିଛନ୍ତି, ଏଇ ଧାର୍ମିକ ନେତା ମତେ ହତ୍ୟା କରିବାକୁ ଚାହୁଁଥିଲେ ଏବଂ ଇସ୍‌ଲାମ୍‌ର ଦ୍ବାହି ଦେଇ ମତେ ହତ୍ୟା କରିବା ଲାଗି ଅସଂଖ୍ୟ ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ ପ୍ରେରିତ କରିଥିଲେ। ମୋ ପୁସ୍ତକ ପଢ଼ିଛନ୍ତି ବୋଲି ସେ ଦାବି କରୁଛନ୍ତି। କିନ୍ତୁ, ସେ ପଢ଼ି ନାହାନ୍ତି। ମିଛ କହୁଛନ୍ତି।

Image Courtesy of India Today

ଶୁକ୍ରବାର ଦିନ ଭାରତ ଜନ୍ମିତ ବ୍ରିଟିସ୍‌ ଲେଖକ ସଲ୍‌ମାନ୍‌ ରୁଶ୍‌ଦୀଙ୍କୁ ନ୍ୟୁୟର୍କରେ ଛୁରାଘାତ କରାଯିବା ପରେ  ଗତ ସପ୍ତାହରେ ତସ୍‌ଲୀମା କହିଥିଲେ ଯେ, ତାଙ୍କୁ ମଧ୍ୟ ହତ୍ୟା କରାଯାଇପାରେ।

ଗଣମାଧ୍ୟମକୁ ସେ କହିଥିଲେ, ଦୀର୍ଘ ଦିନ ତଳେ ମୋ ନାଁରେ ଜାରି ହୋଇଥିବା ଫତ୍‌ୱା କଥା ସେମାନେ ଭୁଲିଯାଇ ନାହାନ୍ତି। ସେମାନେ କଦାପି ଭୁଲି ପାରିବେ ନାହିଁ। ସୁଯୋଗ ପାଇଲାମାତ୍ରେ ସେମାନେ ମତେ ହତ୍ୟା କରିବେ।

ନାରୀମାନଙ୍କ ଉପରେ ଅତ୍ୟାଚାର ଏବଂ ଧର୍ମକୁ ସମାଲୋଚନା କରି ଲେଖିଥିବା ବିଭିନ୍ନ ଲେଖା ପାଇଁ ତସ୍‌ଲୀମା ସୁପରିଚତା। ତାଙ୍କର କେତେକ ରଚନା ତାଙ୍କ ସ୍ବଦେଶ ବାଂଲାଦେଶରେ ମଧ୍ୟ ନିଷିଦ୍ଧ କରାଯାଇଛି। ୧୯୯୪ରୁ ସେ ବାଂଲାଦେଶରୁ ନିର୍ବାସିତ ହୋଇଛନ୍ତି। ୟୁରୋପ୍‌ ଏବଂ ଆମେରିକାରେ ଦୀର୍ଘ ୧୦ ବର୍ଷରୁ ଅଧିକ କାଳ ରହିବା ପରେ ୨୦୦୪ରେ ସେ ଭାରତକୁ ଚାଲିଆସିଛନ୍ତି।

ସମ୍ବନ୍ଧିତ ଖବର