ନୂଆଦିଲ୍ଲୀ: ଭାରତୀୟ ସେନା ଅଧିକାରୀମାନଙ୍କୁ ପାକିସ୍ତାନୀ ଗୁପ୍ତଚରମାନେ ହନିଟ୍ରାପ୍‌ରେ ପକାଇଛନ୍ତି। ଟାର୍ଗେଟ୍ କରି ସେମାନଙ୍କଠାରୁ ଗୁରୁତ୍ବପୂର୍ଣ୍ଣ ଏବଂ ଗୁପ୍ତତଥ୍ୟ ସଂଗ୍ରହ କରିବା ନେଇ ସନ୍ଦେହ ପ୍ରକାଶ ପାଇଛି। ପାକିସ୍ତାନ ଗୁଇନ୍ଦାଗିରି ମାଧ୍ୟମରେ ଭାରତର ସାଇବର ସୁରକ୍ଷା ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଛି। ଏହାର ତଦନ୍ତ କରାଯାଉଛି। ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ଜରିଆରେ ସମ୍ବେଦନଶୀଳ ତଥ୍ୟ ଏଥିରେ ଲିକ୍‌ ହୋଇଛି କି ନାହିଁ ତାହାର ଖୋଳତାଡ଼ ହେଉଛି। ଉକ୍ତ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ସେନାର ଅଧିକାରୀମାନେ ରହିଛନ୍ତି। କିଛି ବରିଷ୍ଠ ଅଧିକାରୀ ଏବଂ ସାଧାରଣ ନାଗରିକ ଏହି ଗ୍ରୁପ୍‌ରେ ରହିଛନ୍ତି। ଚାଇନିଜ୍ ଓ ପାକିସ୍ତାନୀ ଅନ୍‌ଲାଇନ୍ ଏଜେଣ୍ଟମାନେ ନିରବଚ୍ଛିନ୍ନଭାବେ ଗୁରୁତ୍ବପୂର୍ଣ୍ଣ ଭାରତୀୟ ସେନା ତଥ୍ୟ ହାସଲ କରିବା ପାଇଁ ଉଦ୍ୟମ କରୁଛନ୍ତି। ସରକାରୀ କାମରେ ହ୍ବାଟ୍‌ସଆପ୍ ବ୍ୟବହାର ନ କରିବା ପାଇଁ ଏବଂ ଯେଉଁମାନେ କୌଣସି ସମ୍ବେଦନଶୀଳ ଦାୟିତ୍ବରେ ଅଛନ୍ତି ସେମାନେ ନିଜ ନିଜର ଫେସ୍‌ବୁକ୍ ଓ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ବନ୍ଦ କରିଦେବା ପାଇଁ ସେନା କିଛି ବର୍ଷ ହେଲା ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇ ଆସୁଛି। ତା’ ସତ୍ତ୍ବେ କିଛି ସେନା ଅଧିକାରୀ କେତେକ ହ୍ବାଟ୍‌ସଆପ୍ ଗ୍ରୁପ୍‌ର ସଦସ୍ୟ ଅଛନ୍ତି, ଯେଉଁ ଗ୍ରୁପ୍‌ରେ ବହୁ ବଡ଼ ବଡ଼ ଅଧିକାରୀ ଓ ସାଧାରଣ ନାଗରିକ ମଧ୍ୟ ସଭ୍ୟ ଅଛନ୍ତି।

Advertisment

ସେହି ସାଧାରଣ ନାଗରିକଙ୍କ ମଧ୍ୟରୁ ଜଣେ ପାକିସ୍ତାନୀ ଗୁଇନ୍ଦା ଅପରେଟର ବୋଲି ସନ୍ଦେହ ପ୍ରକାଶ ପାଇଛି, ଯାହା ଉପରେ ତଦନ୍ତ ଆଦେଶ ଦିଆଯାଇଛି। ପୂର୍ବରୁ ଏମିତି କିଛି ଘଟଣା ଘଟିଛି ଯେଉଁଥିରେ ପାକିସ୍ତାନୀ ଏଜେଣ୍ଟ ନିଜକୁ ସୁନ୍ଦରୀ ଯୁବତୀ ଭାବେ ପରିଚୟ ଦେଇ ଅନ୍‌ଲାଇନ୍‌ରେ ଭାରତୀୟ ସେନା ଅଧିକାରୀଙ୍କୁ ଟ୍ରାପ୍ କରିଛନ୍ତି। ଏହା ମାଧ୍ୟମରେ ସେମାନେ ସେନା ବିଭାଗର ଅନେକ ଗୁରୁତ୍ବପୂର୍ଣ୍ଣ ଗୁପ୍ତ ତଥ୍ୟ ହାସଲ କରିଛନ୍ତି। ୨୦୧୮ ମସିହାରେ ଭାରତୀୟ ବାୟୁସେନାର ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ଜଣେ ଗ୍ରୁପ୍ କ୍ୟାପ୍‌ଟେନ ଏପରି ହନିଟ୍ରାପ୍‌ର ଶିକାର ହୋଇଥିଲେ। ଭାରତୀୟ ନୌସେନା ମଧ୍ୟ ତା’ର କର୍ମଚାରୀମାନଙ୍କୁ ଫେସ୍‌ବୁକ୍ ବ୍ୟବହାର କରିବାକୁ ନିଷିଦ୍ଧ କରିଛି। ଏଥିସହ କର୍ମକ୍ଷେତ୍ର ଓ ଡକ୍‌ୟାର୍ଡକୁ ସ୍ମାର୍ଟଫୋନ୍ ନେବାକୁ ବାରଣ କରିଛି।