ଦିଲ୍ଲୀ-ଲାହୋର ସମଝୌତା ଏକ୍ସପ୍ରେସ ବନ୍ଦ କଲା ପାକିସ୍ତାନ, ଭାରତର ଅସ୍ୱୀକାର

ଇସ୍ଲାମାବାଦ : କେନ୍ଦ୍ର ସରକାରଙ୍କ ଦ୍ୱାରା ଜାମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇବା ପ୍ରସଙ୍ଗରେ ପାକିସ୍ତାନ ସରକାର ପ୍ରତିଦିନ ଭାରତ ବିରୋଧରେ ନୂଆ ନୂଆ ପଦକ୍ଷେପ ଘୋଷଣା କରିବାରେ ଲାଗିଛନ୍ତି । ଗତକାଲି ଭାରତ ସହିତ କୂଟନୈତିକ ସଂପର୍କ ଛିନ୍ନ କରିବାକୁ ଘୋଷଣା କରିବା ପରେ ଆଜି ନୂଆଦିଲ୍ଲୀ ଓ ଲାହୋର ମଧ୍ୟରେ ସପ୍ତାହକୁ ଦୁଇ ଥର ଚାଲୁଥିବା ସମଝୌତା ଏକ୍ସପ୍ରେସକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ ।

ଏ ସଂପର୍କରେ ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରସିଦ ଅହମଦ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଏହି ସମଝୌତା ଏକ୍ସପ୍ରେସର ବଗିଗୁଡ଼ିକୁ ଇଦ ଉପଲକ୍ଷେ ଚାଲିବାକୁ ଥିବା ସ୍ୱତନ୍ତ୍ର ଟ୍ରେନରେ ବ୍ୟବହାର କରାଯିବ । ତେବେ ପାକିସ୍ତାନ ଏକତରଫାଭାବେ ଏହି ନିଷ୍ପତ୍ତି ନେଇଛି, ଭାରତକୁ ଏଥିପାଇଁ ସୂଚନା ଦିଆଯାଇନାହିଁ । ଫଳରେ ଅଟାରୀ-ଓ୍ଵାଘା ସୀମାରେ ଅନେକ ଯାତ୍ରୀ ଫସିରହିଥିବା ଜଣାଯାଇଛି । ଲାହୋରରୁ ଫେରୁଥିବା ସମଝୌତା ଏକ୍ସପ୍ରେସକୁ ଭାରତକୁ ନେବା ପାଇଁ ଜଣେ ଡ୍ରାଇଭର ପଠେଇବାକୁ ପାକିସ୍ତାନ ଭାରତକୁ କହିଛି । ଅନ୍ୟପକ୍ଷରେ ଉତ୍ତର-ରେଳବାଇର ସିପିଆରଓ ଦିପକ କୁମାର କହିଛନ୍ତି ଯେ ସମଝୌତା ଏକ୍ସପ୍ରେସ ଚାଲୁ ରହିଛି । କେବଳ ଟ୍ରେନର ଡ୍ରାଇଭର ଓ କର୍ମଚାରୀମାନଙ୍କ ସୁରକ୍ଷା ନେଇ ପାକିସ୍ତାନ ପକ୍ଷରୁ କେତେକ ପ୍ରଶ୍ନ ଉଠାଯାଇଛି । ଏପଟେ ପରିସ୍ଥିତି ସ୍ୱାଭାବିକ ରହିଛି ବୋଲି ସେମାନଙ୍କୁ ଆଶ୍ୱାସନା ଦିଆଯାଇଛି ବୋଲି ସେ କହିଛନ୍ତି ।

ଚଳିତ ବର୍ଷ ଫେବ୍ରୁଆରୀରେ ପୁଲଓ୍ଵାମା ଆକ୍ରମଣ ପରେ ମଧ୍ୟ ଏହି ଟ୍ରେନ ସେବା ସାମୟିକ ଭାବେ ବନ୍ଦ ହୋଇଥିଲା ।

ସମ୍ବନ୍ଧିତ ଖବର