ପରମାଣୁ ବୋମା ଧମକ ଦେଇ ଅନ୍ୟ ଦେଶକୁ ସହାୟତା ମାଗ : ପାକିସ୍ତାନ ସରକାରଙ୍କୁ କହିଲା ଆତଙ୍କବାଦୀ ହାଫିଜ୍ ରିଜଭି

ଲାହୋର : ଭୟଙ୍କର ଆର୍ଥିକ ସଂକଟରେ ପଡ଼ିଥିବା ପାକିସ୍ତାନ ଏବେ ସହାୟତା ପାଇଁ ବିଶ୍ବର ବିଭିନ୍ନ ଦେଶ ଆଗରେ ହାତ ପତଉଥିବାବେଳେ ଜିହାଦୀ ସଂଗଠନମାନଙ୍କ ଫୁଟାଣି ଯାଉନାହିଁ । ସେମାନେ ବିଭିନ୍ନ ଦେଶ ଆଗରେ ହାତ ପତେଇବା ଅପେକ୍ଷା ହାତରେ ପରମାଣୁ ବୋମା ଧରି ଧମକ ଦିଅ ଆପେ ଆପେ ଅର୍ଥ ଆସିବ ବୋଲି ପାକିସ୍ତାନ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ପାକିସ୍ତାନ ସରକାରଙ୍କୁ ଏପରି ଅଜବ ପରାମର୍ଶ ଦେଇଛନ୍ତି ମୌଳବାଦୀ ସଂଗଠନ ତେହରିକ-ଏ-ଲାବବାଇକର ମୁଖ୍ୟ ହାଫିଜ ସାଦ ହୁସେନ ରିଜଭି । ଶେହବାଜ ସରିଫ ସରକାରଙ୍କୁ ପରମାଣୁ ବୋମା ଧମକ ରେ ବିଶ୍ୱକୁ ଭୟଭୀତ କରିବାକୁ ରିଜଭି କହିଛନ୍ତି।

ଲାହୋରରେ ଅନୁଷ୍ଠିତ ଏକ ଜିହାଦୀ ସମ୍ମିଳନୀରେ ଭାଷଣ ଦେଇ ସେ କହିଛନ୍ତି ଯେ ପାକିସ୍ତାନର  “ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କ୍ୟାବିନେଟ୍ ମନ୍ତ୍ରୀ ଏବଂ ସେନା ମୁଖ୍ୟମାନଙ୍କୁ ପଠାଇ ସରକାର ବିଶ୍ୱକୁ ଭିକ ମାଗୁଛନ୍ତି। କେତେକ ଦେଶ ସାହାଯ୍ୟ କରୁଛନ୍ତି ଏବଂ କିଛି ଦେଶ ସାହାଯ୍ୟ କରୁନାହାନ୍ତି ଏବଂ ଆଉ କିଛି ଦେଶ ନାନା ସର୍ତ୍ତ ଆରୋପ କରୁଛନ୍ତି ।

ଏଣୁ ପାକିସ୍ତାନର କ୍ୟାବିନେଟ ମନ୍ତ୍ରୀମାନେ ବିଦେଶକୁ ଯିବାବେଳେ ଗୋଟିଏ ହାତରେ ଧର୍ମପୁସ୍ତକ ଧରି ଅନ୍ୟ ହାତରେ ପରମାଣୁ ବୋମା ଯାଆନ୍ତୁ, ଦେଖିବେ  ସମଗ୍ର ବିଶ୍ବ ଆପଣଙ୍କ ପାଦ ତଳକୁ ଆସିବ। ତାଙ୍କର ଏହି ବୟାନକୁ ନେଇ ପାକିସ୍ତାନ ସରକାରଙ୍କ ପ୍ରତିକ୍ରିୟା ଆସିନାହିଁ ।

 

ସମ୍ବନ୍ଧିତ ଖବର