କରାଚୀ : ପାକିସ୍ତାନରେ ରହୁଥିବା ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । କାରଣ ଜଣକ ପରେ ଜଣେ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଅଜଣା ବନ୍ଧୁକଧାରୀଙ୍କ ଗୁଳିରେ ମୃତ୍ୟୁବରଣ କରୁଛନ୍ତି । ସ୍ଥିତି ଏପରି ହୋଇଛି ଯେ ଏହି ମୁଖାପିନ୍ଧା ବନ୍ଧୁକଧାରୀ କିଏ, ସେ ସମ୍ପର୍କରେ ଆଇଏସଆଇ ବି ଟେର ପାଉନାହିଁ ।
ଶନିବାର ଅଜଣା ବନ୍ଧୁକଧାରୀଙ୍କ ଗୁଳିରେ ପୁଲଓ୍ବାମା ଆକ୍ରମଣର ମାଷ୍ଟରମାଇଣ୍ଡ୍ ଦାଉଦ ମଲ୍ଲିକ୍ ମୃତ୍ୟୁବରଣ କରିଛି । ସେ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରର ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା ଥିଲା ଓ ଭାରତୀୟ ଏଜେନ୍ସିଙ୍କ ପାଇଁ ଜଣେ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଥିଲା ।
ପାକିସ୍ତାନର ଉତ୍ତର ୱାଜିରିସ୍ତାନରେ ଦାଉଦ ମଲ୍ଲିକଙ୍କୁ ହତ୍ୟା କରାଯାଇଛି। ଅଜ୍ଞାତ ମୁଖାପିନ୍ଧା ବନ୍ଧୁକଧାରୀମାନେ ତାକୁ ଗୁଳି କରି ହତ୍ୟା କରିଛନ୍ତି। ପୁଲୱାମା ଆକ୍ରମଣରେ ଦାଉଦର ସମ୍ପୃକ୍ତ ଥିବା କୁହାଯାଉଛି। ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦ ମଧ୍ୟ ଏଭଳି ଘଟଣାରେ ଆତଙ୍କିତ ହୋଇଯାଇଛନ୍ତି। ନିକଟରେ ତା ପୁଅକୁ ପିଓକେରେ କଡା ସୁରକ୍ଷା ବଳୟରେ ଏକ କାରରେ ନିଆଯାଉଥିବା ବେଳେ ତାକୁ ଅପହରଣ କରି ହତ୍ୟା କରାଯାଇଥିଲା ।
ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତୀୟ ସେନା ଯେତେବେଳେ ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରିଥିଲା, ସେତେବେଳେ ଭାରତୀୟ ତଦନ୍ତକାରୀ ଏଜେନ୍ସିପାଖରେ ସୂଚନା ଥିଲା ଯେ ଦାଉଦ ମଲ୍ଲିକ ସେଠାରେ ଲୁଚି ରହିଛି। ତେବେ ସେ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲା । ସେ ଲସ୍କର-ଇ-ଜବ୍ବାର ଏବଂ ଲସ୍କର-ଇ-ଝାଙ୍ଗଭି ଭଳି ସଂଗଠନ ସହ ମଧ୍ୟ ଜଡ଼ିତ ଥିଲା। ତାଙ୍କୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ ଆଇର ସୁରକ୍ଷା ଦିଆଯାଇଥିଲା।
ଏହା ପୂର୍ବରୁ ଆତଙ୍କବାଦୀ ଶାହିଦ୍ ଲତିଫ ଓ ମୁଲ୍ଲା ବାହୌରକୁ କେତେକ ସଂଦିଗ୍ଧ ବ୍ୟକ୍ତି ହତ୍ୟା କରିଥିଲେ । ସେହିପରି କାନ୍ଦାହାର ବିମାନ ଅପହରଣ କାଣ୍ଡର ଅଭିଯୁକ୍ତ ବସିର ମୀର ଓ ଜୈସ ଆତଙ୍କବାଦୀ ଜହୁର ମିସ୍ତ୍ରୀକୁ ବି ହତ୍ୟା କରାଯାଇଥିଲା । ପୁଣି ପାକିସ୍ତାନରେ ରହୁଥିବା ଜଣେ ଖଲିସ୍ତାନୀ ଆତଙ୍କବାଦୀକୁ ହତ୍ୟା କରାଯାଇଥିଲା ।