ଭାରତୀୟ ବିମାନ ଲାଗି ନିଜର ବାୟୁସୀମାକୁ ସଂପୂର୍ଣ୍ଣ ବନ୍ଦ କରିବ ପାକିସ୍ତାନ

ଇସ୍ଲାମାବାଦ : ଭାରତ ସରକାର କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ପ୍ରତିକ୍ରିୟାଶୀଳ ହୋଇଯାଇଛି । ଭାରତକୁ ସମସ୍ୟାରେ ପକାଇବାକୁ ପାକିସ୍ତାନ ସରକାର ଭାରତୀୟ ବିମାନ ପାଇଁ ନିଜର ବାୟୁସୀମାକୁ ସଂପୂର୍ଣ୍ଣ  ବନ୍ଦ କରିବାକୁ ବିଚାର କରୁଛି । ଏ ସଂପର୍କରେ ପାକିସ୍ତାନୀ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଫଓ୍ଵାଦ ହୁସେନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଭାରତକୁ ବାୟୁସୀମା ବନ୍ଦ ସହ ଆଫଗାନିସ୍ତାନକୁ ଯାଉଥିବା ସ୍ଥଳପଥକୁ ମଧ୍ୟ ବନ୍ଦ କରିବାକୁ ଇମ୍ରାନ ଖାଁ ସରକାର ବିଚାର କରୁଛନ୍ତି ।

ଗତ ଫେବ୍ରୁଆରୀ ୨୬ରେ  ବାଲାକୋଟରେ ଥିବା ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ବିମାନ ଆକ୍ରମଣ କରିଥିଲା ।  ଏହାପରଠାରୁ ପାକିସ୍ତାନ ସବୁପ୍ରକାରର  ବେସରକାରୀ ବିମାନ ପାଇଁ ନିଜର ବାୟୁସୀମାକୁ ବନ୍ଦ କରିଦେଇଥିଲା । ତେବେ ବହୁ ବିଚାର ବିମର୍ଷ ପରେ ଗତ ଜୁଲାଇ ୧୭ରେ ପାକିସ୍ତାନ ନିଜର ବାୟୁସୀମାକୁ ଖୋଲିଥିଲା । କିନ୍ତୁ ପୁଣି ଥରେ ବନ୍ଦ ହେଲେ କେନ୍ଦ୍ର ଏସିଆ ଓ ୟୁରୋପ ଯାଉଥିବା  ଭାରତୀୟ ବିମାନଗୁଡ଼ିକ ପାକିସ୍ତାନ ଉପର ଦେଇ ଉଡିପାରିବ ନାହିଁ । ଏପରି ହେଲେ ଉଭୟ ଭାରତ ଓ ପାକିସ୍ତାନ କୋଟି କୋଟି ଟଙ୍କାର ରାଜସ୍ୱ ହରାଇବେ ।

ସମ୍ବନ୍ଧିତ ଖବର