ଭାରତରୁ ପୋଲିଓ ମାର୍କର ଆମଦାନୀ ପାଇଁ ପାକିସ୍ତାନର ନିଷ୍ପତ୍ତି

ନୂଆଦିଲ୍ଲୀ : ଭାରତ ସହ ସମସ୍ତ ପ୍ରକାରର ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିବାର ମାତ୍ର କିଛିମାସ ପରେ ପାକିସ୍ତାନ ଭାରତରୁ ପୋଲିଓ ମାର୍କର ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛି । ପାକିସ୍ତାନୀ ଖବରକାଗଜ ଡନରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଆମଦାନୀ ପାଇଁ ପାକିସ୍ତାନର କେନ୍ଦ୍ରୀୟ କ୍ୟାବିନେଟ୍‌ ଅନୁମତି ଦେଇଛି ।

ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବା ପରେ ଚିହ୍ନଟ ପାଇଁ ସେମାନଙ୍କ ଅଙ୍ଗୁଳିରେ ଏକ ଚିହ୍ନ ଦିଆଯାଇଥାଏ । ପୋଲିଓ ମାର୍କର ମାଧ୍ୟମରେ ଏହି ଚିହ୍ନ ଦିଆଯାଇଥାଏ । ତେବେ ଶିଶୁମାନଙ୍କୁ ଦିଆଯାଉଥିବାରୁ ଏହି ମାର୍କରରେ ବ୍ୟବହାର ହେଉଥିବା କାଳି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥାଏ, ଯାହାକି ଶିଶୁମାନଙ୍କ ପାଇଁ ବେଶ ନିରାପଦ । ଅର୍ଥାତ ଶିଶୁମାନେ କୌଣସି କାରଣରୁ ନିଜ ଅଙ୍ଗୁଳିକୁ ଚୁଚୁମିଲେ ତାହାର କୌଣସି କୁପ୍ରଭାବ ସେମାନଙ୍କ ଉପରେ ପଡ଼ିବ ନାହିଁ । ଶିଶୁମାନଙ୍କ ପାଇଁ କେବଳ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱୀକୃତିପ୍ରାପ୍ତ ମାର୍କର ହିଁ ବ୍ୟବହାର କରିହେବ । ବିଶ୍ୱରେ କେବଳ ଭାରତ ଓ ଚୀନରେ ଏହି ପୋଲିଓ ମାର୍କର ତିଆରି କରାଯାଇଥାଏ ।

ଗତ ଅଗଷ୍ଟ ୫ରେ ମୋଦୀ ସରକାର ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିବା ପରେ ପାକିସ୍ତାନ ଭାରତ ସହ ନିଜର କୂଟନୈତିକ ସଂପର୍କକୁ ହ୍ରାସ କରିବା ସହ ବାଣିଜ୍ୟିକ ସଂପର୍କ ମଧ୍ୟ ଛିନ୍ନ କରିଥିଲା । ତେବେ ଏହା ଦ୍ୱାରା ପାକିସ୍ତାନର ଶିଳ୍ପ ଜଗତ ବ୍ୟାପକ କ୍ଷତି ସହିବା ପରେ ପରେ ଏହି କଟକଣାକୁ କୋହଳ କରାଯାଇଥିଲା । ବିଶେଷକରି ପାକିସ୍ତାନର ଫାର୍ମାସୁଟିକାଲ୍ସ ଶିଳ୍ପ ଏହି କଟକଣା ଉଠାଇବାକୁ ଦାବି କରୁଛି ।

ସମ୍ବନ୍ଧିତ ଖବର