ଜାତିସଂଘ ମାନବ ଅଧିକାର ପରିଷଦରେ କଶ୍ମୀର ଓ ନାଗରିକତା ଆଇନ ପ୍ରସଙ୍ଗ ଉଠାଇବ ପାକିସ୍ତାନ
ଜେନିଭା: ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ବାରମ୍ବାର ବିଫଳ ହେବା ସତ୍ତ୍ୱେ ନିଜର ଭାରତ ବିରୋଧୀ ଉଦ୍ୟମକୁ ଅବ୍ୟାହତ ରଖିଛି ପାକିସ୍ତାନ । ଆଜି ଜେନିଭାଠାରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ ଅଧିବେଶନରେ ପାକିସ୍ତାନ ପୁଣିଥରେ କଶ୍ମୀର ଓ ଭାରତର ନାଗରିକତା ଆଇନ ପ୍ରସଙ୍ଗ ଉଠାଇବାକୁ ଯାଉଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ବୈଠକରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସୀ ଭାଷଣ ଦେବାର ଥିଲେ ମଧ୍ୟ ଶେଷ ମୂହୂର୍ତ୍ତରେ ସେ ଏଥିରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ପାକିସ୍ତାନ ସରକାର ମାନବ ଅଧିକାର ମନ୍ତ୍ରୀ ସରିନ ମଜାରିଙ୍କୁ ପଠାଇଛନ୍ତି । ନିଜର ଭାଷଣରେ ମଜାରି କଶ୍ମୀରରୁ ୩୭୦ ଉଚ୍ଛେଦ, ଭାରତର ନାଗରିକତା ଆଇନ ଓ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗ ଉଠାଇବେ ।
ସୂଚନାଯୋଗ୍ୟ ଯେ, ଭାରତ ସରକାର ଗତବର୍ଷ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଠାଇଦେବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ଲାଗି ସରକାର ଜାମ୍ମୁ ଓ କଶ୍ମୀର ପ୍ରମୁଖ ନେତାମାନଙ୍କୁ ଗୃହବନ୍ଦୀ କରିଦେଇଥିଲେ । ଏହା ସହିତ ଇଣ୍ଟରନେଟ ଓ ଟେଲିଫୋନ ସେବାକୁ ବନ୍ଦ କରିଦେଇଥିଲେ । ଏହା ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ସଂପର୍କ ଖରାପ ହୋଇଚାଲିଛି । ଅନ୍ୟପକ୍ଷରେ ସୂଚନାଯୋଗ୍ୟ ଗତ ଡିସେମ୍ବର ମାସରେ ଭାରତ ସରକାର ନାଗରିକତା (ସଂଶୋଧନ) ଆଇନ ପ୍ରଣୟନ କରିଥିଲେ । ଏଥିରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।