୨୦୨୦ ଫେବ୍ରୁଆରି ପର୍ଯ୍ୟନ୍ତ ଏଫ୍‌ଏଟିଏଫ୍‌ର ଗ୍ରେ-ତାଲିକାଭୁକ୍ତ ହୋଇ ରହିବ ପାକିସ୍ତାନ, ତା’ପରେ ଗ୍ରହଣ କରାଯିବ ଚୂଡ଼ାନ୍ତ ନିଷ୍ପତ୍ତି

ନୂଆଦିଲ୍ଳୀ: ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଏବଂ ଆନ୍ତର୍ଜାତିକ ଆତଙ୍କବାଦୀଙ୍କ  ବେଆଇନ ଅର୍ଥ-କାରବାର ରୋକିବାରେ ବିଫଳ ହୋଇଥିବା ପାକିସ୍ତାନକୁ ଫାଇନାନ୍‌ସିଆଲ୍‌ ଆକ୍ସନ ଟାସ୍କ ଫୋର୍ସ(ଏଫ୍‌ଏଟିଏଫ୍‌) ୨୦୨୦ ମସିହା ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଗ୍ରେ-ତାଲିକାଭୁକ୍ତ କରି ରଖିବ ବୋଲି ସୂଚନା ରହିଛି। ତା’ପରେ ଯାଇ ପାକିସ୍ତାନ ବିରୋଧରେ ଏଫ୍‌ଏଟିଏଫ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବ। ପୂର୍ବରୁ ଏଫ୍‌ଏଟିଏଫ୍‌ ବୈଠକଗୁଡ଼ିକରେ ପାକିସ୍ତାନକୁ କୌଣସି ପ୍ରମୁଖ ରାଷ୍ଟ୍ର ସମର୍ଥନ ଦେଇ ନଥିଲେ। ଆତଙ୍କବାଦକୁ ଶେଷ କରିବାରେ ପାକିସ୍ତାନ ବିଫଳ ହୋଇଛି ବୋଲି ଅନେକ ଦେଶ ମତ ପ୍ରକାଶ କରିଛନ୍ତି।

ଜାଣିରଖନ୍ତୁ ଯେ ଏଫ୍‌ଏଟିଏଫ୍‌ ହେଉଛି ଏକ ଆନ୍ତଃ-ରାଷ୍ଟ୍ର ସଂଗଠନ । ୧୯୮୯ ମସିହାରେ ଏହାକୁ ଗଠନ କରାଯାଇଥିଲା। ବେଆଇନ ଅର୍ଥ-କାରବାର, ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଓ ଅନ୍ୟାନ୍ୟ ସମସ୍ୟାକୁ ମୁକାବିଲା କରିବା ଲକ୍ଷ୍ୟରେ ଏହାର ସୃଷ୍ଟି। ପ୍ୟାରିସ୍‌ରେ ସଂପ୍ରତି ହୋଇଥିବା ସଂଗଠନର  ବୈଠକରେ ଜାଣିବାକୁ ମିଳିଛି ଯେ ଏଫ୍‌ଏଟିଏଫ୍‌ ୨୭ଟି ସର୍ତ୍ତରୁ ପାକିସ୍ତାନ ମାତ୍ର ୬ଟି ପାଳନ କରିଛି। ପାକିସ୍ତାନକୁ କଳା ତାଲିକାଭୁକ୍ତ କରାଯିବ ନା ଗ୍ରେ-ତାଲିକାଭୁକ୍ତ କରାଯିବ ତାହା ନିଷ୍ପତ୍ତି ହୋଇପାରି ନଥିଲା। ଅକ୍ଟୋବର ୧୮ ତାରିଖରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ଗତକାଲି ବୈଠକରେ କୁହାଯାଇଥିଲା।

(Image : AP)

୨୦୨୦ ମସିହା ଫେବ୍ରୁଆରି ପର୍ଯ୍ୟନ୍ତ ପାକିସ୍ତାନ ଗ୍ରେ-ତାଲିକାଭୁକ୍ତ ରହିବ ବୋଲି ଶୁକ୍ରବାର ଦିନ ଆନୁଷ୍ଠାନିକ ଭାବେ ଘୋଷଣା ହେବ। ଗ୍ରେ-ତାଲିକାଭୁକ୍ତ କଥାକୁ ଖଣ୍ଡନ କରି ପାକିସ୍ତାନ ଅର୍ଥ ମନ୍ତ୍ରାଳୟର ମୁଖପାତ୍ର ଓମାର ହମିଦ୍‌ ଖାନ କହିଛନ୍ତି କି ଅକ୍ଟୋବର ୧୮ ତାରିଖ ପୂର୍ବରୁ ପ୍ରକାଶ ପାଉଥିବା କୌଣସି ବି କଥାର କିଛି ସତ୍ୟାସତ୍ୟ ନାହିଁ।

ସମ୍ବନ୍ଧିତ ଖବର