ପାଟନା: ୧୦ବର୍ଷ ପୂର୍ବେ ବନ୍ଧୁକ ମୁନରେ କରାଯାଇଥିବା ବିବାହକୁ ରଦ୍ଦ କଲେ ପାଟନା ହାଇକୋର୍ଟ। ୨୦୧୩ରେ ପୀଡ଼ିତ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ଜୋରଜବରଦସ୍ତ ଉଠାଇ ନେଇ ତାଙ୍କର ବିବାହ କରାଇ ଦିଆଯାଇଥିଲା। ବନ୍ଧୁକ ମୁନରେ ତାଙ୍କର ବିବାହ ହୋଇଥିବା ବେଳେ ଏବେ ଏହାକୁ ରଦ୍ଦ କରିଛନ୍ତି ହାଇକୋର୍ଟ। ବିହାରରେ ଏଭଳି ବିବାହକୁ 'ପକଡୁଆ ବିହା' କୁହାଯାଏ। ଅର୍ଥାତ୍ ଇଚ୍ଛା ନଥାଇ ବି ବରକୁ ଅପହରଣ କରାଯାଇ ବିବାହ କରିବାକୁ ବାଧ୍ୟ କରାଯାଏ।

Advertisment

ତେବେ ଜବରଦସ୍ତି ବିବାହ କରାଯିବା ପରେ ପୀଡ଼ିତ ରବି କାନ୍ତ ଏନେଇ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଏବେ ପାଟନା ହାଇକୋର୍ଟ ତାଙ୍କୁ ନ୍ୟାୟ ଦେଇ ୧୦ବର୍ଷ ପୂର୍ବେ ହୋଇଥିବା ବିବାହକୁ ରଦ୍ଦ କରିଛନ୍ତି। ରବି କାନ୍ତଙ୍କ ଆବେଦନ ଉପରେ ଶୁଣାଣି କରି ୨ଜଣିଆ ଖଣ୍ଡପୀଠ କହିଥିଲେ ଯେ, ହିନ୍ଦୁ ଧର୍ମ ଅନୁଯାୟୀ ବିବାହ ପାଇଁ ଅନେକ ରୀତିନୀତି ରହିଛି। ପ୍ରଥମେ ବିବାହ ପାଇଁ ଉଭୟ ବର-କନ୍ୟା ରାଜିଥିବା ଦରକାର। ଏହା ସହ ସାତ୍ ଫେରା ପରେ ବର ନିଜ ଇଚ୍ଛାରେ କନ୍ୟାର ମଥାରେ ସିଦୂର ଭରିବା ଦରକାର। ଯଦି ଏଭଳି ନହେଉଛି, ତେବେ ଏହା ବୈଧ ନୁହେଁ। ବନ୍ଧୁକ ମୁନରେ କରାଯାଇଥିବା ବିବାହ ବୈଧ ‌ନୁହେଁ। ତେଣୁ ରବି କାନ୍ତଙ୍କ ବିବାହକୁ ରଦ୍ଦ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଜୁନ୍ ୩୦, ୨୦୧୩ରେ ନିଜ ଦାଦାଙ୍କ ସହ ଲଖିସରାୟରେ ଥିବା ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ ରବି। ଏହି ସମୟରେ ତାଙ୍କୁ ଅପହରଣ କରାଯିବା ସହ ତାଙ୍କର ବିବାହ କରାଯାଇଥିଲା। ଏନେଇ ତାଙ୍କ ଦାଦା ପୁଲିସରେ ଅଭିଯୋଗ କରିଥିଲେ ବି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଏହା ପରେ ରବି ଲଖିସରାୟର ସିଜିଏମ୍ କୋର୍ଟ ଓ ପରିବାର ଅଦାଲତରେ ନ୍ୟାୟ ପାଇଁ ଆବେଦନ କରିଥିଲେ। ହେଲେ ୨୦୨୦ରେ ତାଙ୍କ ଆବେଦନକୁ ଖାରଜ କରାଯାଇଥିଲା। ହାର୍ ନମାନି ସେ ପାଟନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।