ପାକ୍‌ ଅଧିକୃତ କଶ୍ମୀର ବି ଭାରତର: ନୀତୀଶ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୁର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲ କନ୍‌ଫରେନ୍ସ ନେତା ଫାରୁକ୍‌ ଅବଦୁଲ୍ଲା ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)କୁ ନେଇ ଦେଇଥିବା ବିବାଦୀୟ ବୟାନ ଉପରେ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜବାବ ରଖିଛନ୍ତି। ନୀତୀଶ କହିଛନ୍ତି ଯେ ସମଗ୍ର କଶ୍ମୀର ସହ ପାକ୍‌ ଅଧିକୃତ କଶ୍ମୀର ମଧ୍ୟ ଭାରତର ଅବିଚ୍ଛେଦ୍ୟ ଅଂଶ। ଏଥି ସହିତ ଭାରତବାସୀ ଏ ବାବଦରେ ଆମ ନୀତି ସ୍ପଷ୍ଟ ରଖିଛୁ ବୋଲି ସେ କହିଛନ୍ତି। ନୀତୀଶ ତାଙ୍କ ସପ୍ତାହବ୍ୟାପୀ ‘ଲୋକ ସମ୍ବାଦ’ କାର୍ଯ୍ୟକ୍ରମ ଅବସରରେ ଫାରୁକ୍‌ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ ବାବଦରେ ଗଣମାଧ୍ୟମର ଏକ ପ୍ରଶ୍ନରେ ଏହି ଉତ୍ତର ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଏକ ସ୍ୱାଧୀନ କଶ୍ମୀରର ଚିନ୍ତାଧାରା ସମ୍ପୂର୍ଣ୍ଣ ଭାବେ ଭ୍ରମ ଏବଂ ପିଓକେ ପାକିସ୍ତାନ୍‌ର ବୋଲି ଫାରୁକ୍‌ ଅବଦୁଲ୍ଲା ଗତ ଶନିବାର କହିଥିଲେ। ଏପରିକି ଏହାକୁ ନେଇ ଉଭୟ ଭାରତ ଓ ପାକିସ୍ତାନ ଯେତେ ଯୁଦ୍ଧ ଲଢ଼ିଲେ ସୁଦ୍ଧା କିଛି ଫଳ ମିଳିବନି ବୋଲି ଫାରୁକ୍‌ କରିଥିବା ଟିପ୍ପଣୀ ବିଜେପି ସମେତ ଏହାର ସହଯୋଗୀ ଦଳମାନଙ୍କ ମଧ୍ୟରେ ତୀବ୍ର ଝଡ଼ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର