ଏଲ୍‌ଓସିରେ ଉତ୍ତେଜନା, ୧୦୦ରୁ ଅଧିକ ସ୍ବତନ୍ତ୍ର କମାଣ୍ଡୋ ମୁତୟନ କଲା ପାକିସ୍ତାନ

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଲଗାତାର ଭାରତ ବିରୋଧରେ ବିଷୋଦ୍‌ଗାର କରି ଆସୁଛି। ଭାରତ -ପାକିସ୍ତାନ ସମ୍ପର୍କ ପୂର୍ବାପେକ୍ଷା ଆହୁରି ତିକ୍ତ ହୋଇଛି। ପାକ୍‌ ସେନା ଏବେ ଏଲ୍‌ଓସିରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ବର୍ଷା କରୁଛି। ଆଜି ଜମ୍ମୁ କଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ପାକିସ୍ତାନ ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଲନ କରି ପ୍ରବଳ ଗୁଳି ମାଡ଼ କରିଛି। ପାକିସ୍ତାନର ଲଗାତାର ଗୁଳିମାଡ଼ରେ କଶ୍ମୀରର ସୀମାବର୍ତ୍ତୀ ଗ୍ରାମର ଲୋକମାନେ ଅତିଷ୍ଠ ହୋଇଗଲେଣି। ସୀମା ନିକଟସ୍ଥ କିଛି ଗାଁ ମାନଙ୍କରେ ଲୋକେ ଭୟରେ ଘରଦ୍ବାର ଛାଡ଼ି ଦେଉଥିବା ଜଣାପଡ଼ିଛି।

ଏବେ ପୁଣି ଭାରତୀୟ ସେନା ବିରୋଧରେ ବ୍ୟାଟ୍‌ କାର୍ଯ୍ୟାନୁଷ୍ଠାନ ପାଇଁ ପାକିସ୍ତାନ ପ୍ରସ୍ତୁତ ହେଉଛି। ଏଲ୍‌ଓସି ନିକଟରେ ପାକିସ୍ତାନୀ ସେନା ଦ୍ବାରା ୧୦୦ରୁ ଅଧିକ ଏସ୍‌ଏସ୍‌ଜି (ସ୍ପେସାଲ୍‌ ସର୍ଭିସ୍‌ ଗ୍ରୁପ୍‌) କମାଣ୍ଡୋଙ୍କୁ ମୁତୟନ କରାଯାଇଛି। ତେବେ ସେନା ସୂତ୍ରରୁ ଜଣାପଡ଼ିଛି ଯେ ଏହି କମାଣ୍ଡୋମ‌ାନେ ଜେଇଏମ୍‌ ଏବଂ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀଙ୍କ ସହ କାମ କରୁଛନ୍ତି। ପାକ୍‌ର ସ୍ବତନ୍ତ୍ର କମାଣ୍ଡୋମାନଙ୍କ ଗତିବିଧି ଉପରେ ଭାରତୀୟ ସେନା କଡ଼ା ନଜର ରଖିଛି। ପାକ୍‌ ସେନା ଦ୍ବାରା ହେଉଥିବା ଅସ୍ତ୍ରବିରତି ଉଲ୍ଲଂଘନରେ ମଧ୍ୟ ପାକ୍‌ ସେନାର ଏସ୍‌ଏସ୍‌ଜି କମାଣ୍ଡୋମାନେ ସାମିଲ ହୋଇଛନ୍ତି। ପାକିସ୍ତାନ ମଧ୍ୟ ସାର୍‌ କ୍ରିକ୍‌ ଅଞ୍ଚଳ‌ରେ କମାଣ୍ଡୋମାନଙ୍କୁ ମୁତୟନ କରିଛି। ଗୁଇନ୍ଦା ସୂତ୍ରରୁ ଜଣାଯାଇଛି, ଲିପା ଉପତ୍ୟକାରେ ଜେଇଏମ୍‌ ପ୍ରାୟ ୧୨ ଆଫଗାନ ଜିହାଦୀ ଦଳଙ୍କୁ ମୁତୟନ କରିଛି। ଗତ ୧୯-୨୦ ତାରିଖରେ ଜେଇଏମ୍‌ ମୁଖ୍ୟ ମାସୁଦ ଆଝାରର ଭାଇ ରୌଫ୍‌ ଆଝାର ଭାୱଲପୁରରେ କିଛି କମାଣ୍ଡରମାନଙ୍କ ସହ ବୈଠକ କରିଥିଲା। ବଡ଼ ଧରଣର ଆକ୍ରମଣ ପାଇଁ ଏହି ବୈଠକରେ ଆଲୋଚନା ହୋଇଥିବା କୁହାଯାଉଛି। ଆତଙ୍କବାଦୀମାନେ ଏବେ ଭାରତର କେତେକ ପ୍ରମୁଖ ସହରଗୁଡ଼ିକରେ ଆକ୍ରମଣ କରିବାପାଇଁ ଯୋଜନା କରୁଛନ୍ତି। ଅନ୍ୟପକ୍ଷେ ଭାରତୀୟ ସୁରକ୍ଷା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପାକିସ୍ତାନୀ ସଂସ୍ଥା‌ ଗୁଡ଼ିକ ଏବେ ଆଫଗାନ ଆତଙ୍କବାଦୀଙ୍କୁ ନିଯୁକ୍ତି ଦେଉଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର