ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଦୁର୍ବଳ ଉପସ୍ଥାପନା କରିଥିବାରୁ ନିଲମ୍ବିତ ହେଲେ ପିଟିଭିର ୧୭ଜଣ ଅଧିକାରୀ

ଇସଲାମାବାଦ: ନବନିର୍ବାଚିତ ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ଲାହୋର ଗସ୍ତର ଦୁର୍ବଳ ଉପସ୍ଥାପନା କରିଥିବାରୁ ପାକିସ୍ତାନର ରାଷ୍ଟ୍ରାୟତ୍ତ ଚ୍ୟାନେଲ ପିଟିଭି ୧୭ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛି। ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଶରିଫ ଗତ ସପ୍ତାହରେ ଲାହୋରର କୋଟ ଲଖପତ ଜେଲ ଏବଂ ରମଜାନ ବଜାର ପରିଦର୍ଶନ କରିଥିଲେ। ଫାଇଲ ଟ୍ରାନ୍ସଫର ପ୍ରୋଟୋକଲ (ଏଫଟିପି) ମାଧ୍ୟମରେ ଭିଡିଓ ଫୁଟେଜ ଅପଲୋଡ୍ କରିବା ପାଇଁ ଉନ୍ନତ ଲାପଟପ୍ ଉପଲବ୍ଧ ନହେବା କାରଣରୁ ପାକିସ୍ତାନ ଟେଲିଭିଜନ (ପିଟିଭି) ଟିମ ଦୁର୍ବଳ ଉପସ୍ଥାପନା କରିଥିଲେ। ହେଲେ ପରେ ସେମାନଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଏସଓପି ଅନୁଯାୟୀ ସାମ୍ବାଦିକଙ୍କ ଏକ ଭିଭିଆଇପି ଟିମ ପ୍ରଧାନମନ୍ତ୍ରୀଙ୍କ କଭରେଜ୍ ପାଇଁ ନିୟୋଜିତ ହୋଇଥାନ୍ତି। ଟିମ୍ ପାଖରେ ଲାପଟପ୍ ସମେତ ଅତ୍ୟାଧୁନିକ ଯନ୍ତ୍ରପାତି ରହିଥାଏ, ଯାହାଦ୍ବାରା ଲାଇଭ୍ ଷ୍ଟ୍ରିମିଂ ଏବଂ ଯେକୌଣସି ଘଟଣାର ଫୁଟେଜ୍ ଠିକ୍ ସମୟରେ ଅପଲୋଡ୍ କରାଯାଇପାରିଥାଏ। ଏହି ଟିମ୍ ଇସଲାମାବାଦରେ ରହିଥିବା ସହ ଦେଶ ତଥା ବିଦେଶ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସହିତ ଯାତ୍ରା କରିଥାନ୍ତି।

ତେବେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ପରିଦର୍ଶନ ବିଷୟରେ ଲାହୋରରେ ଥିବା ପିଟିଭି ଶାଖାକୁ ପିଟିଭି ହେଡକ୍ବାର୍ଟର ପକ୍ଷରୁ ଅବଗତ କରାଗଲା, ସେତେବେଳେ ଲାହୋରରେ ଥିବା ପିଟିଭି ଶାଖା ପକ୍ଷରୁ ଏକ ଉନ୍ନତ ଲାପଟପ୍ ପ୍ରଦାନ କରିବାକୁ ହେଡକ୍ବାର୍ଟରକୁ କୁହାଯାଇଥିଲା। ଉନ୍ନତ ଲାପଟପ ଦେବା ପରିବର୍ତ୍ତେ ପିଟିଭି ହେଡକ୍ବାର୍ଟର ପକ୍ଷରୁ ଜଣେ ଅଧିକାରୀଙ୍କ ବ୍ୟକ୍ତିଗତ ଲାପଟପ୍ ସାମ୍ବାଦିକମାନଙ୍କୁ ଦିଆଯାଇଥିଲା। ଯେତେବେଳେ ପିଟିଭି ଟିମ ଫୁଟେଜ୍ ପ୍ରସାରଣ କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ଲାପଟପର ବ୍ୟାଟେରୀ ଶେଷ ହୋଇଯାଇଥିଲା। ଏହି କାରଣରୁ ଏବେ ୧୭ଜଣ ସାମ୍ବାଦିକଙ୍କୁ ନିଲମ୍ବିତ ହେବାକୁ ପଡ଼ିଛି।

ସମ୍ବନ୍ଧିତ ଖବର