ନୂଆଦିଲ୍ଲୀ: ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ) ଏକ ବିଦେଶୀ ଅଞ୍ଚଳ ଏବଂ ଏହା ଉପରେ ପାକିସ୍ତାନର କୌଣସି ଅଧିକାର ନାହିଁ ବୋଲି ପାକିସ୍ତାନ ସରକାର ଇସଲାମାବାଦ ହାଇକୋର୍ଟରେ ସ୍ୱୀକାର କରିଛନ୍ତି। କାଶ୍ମୀରୀ କବି ତଥା ସାମ୍ବାଦିକ ଅହମଦ ଫରହାଦ ଶାହଙ୍କୁ ମେ ୧୫ ତାରିଖରେ ରାୱଲପିଣ୍ଡିସ୍ଥିତ ତାଙ୍କ ଘରୁ ଅପହରଣ ମାମଲାରେ ପାକିସ୍ତାନର ଅତିରିକ୍ତ ଆଟର୍ଣ୍ଣି ଜେନେରାଲ ଶୁକ୍ରବାର (ମେ ୩୧) ଏହି ବିରଳ ସ୍ୱୀକାରୋକ୍ତି କରିଛନ୍ତି। କବିଙ୍କ ପତ୍ନୀଙ୍କ ଆବେଦନ ପରେ ଇସଲାମାବାଦ ହାଇକୋର୍ଟର ବିଚାରପତି ମୋହସିନ ଅଖତର କୟାନୀ ଫରହାଦ ଶାହଙ୍କୁ କୋର୍ଟରେ ହାଜର କରାଇବାକୁ ଆଦେଶ ଦେଇଥିଲେ। ଶୁକ୍ରବାର ପାକିସ୍ତାନର ଅତିରିକ୍ତ ଆଟର୍ଣ୍ଣି ଜେନେରାଲ ଜଷ୍ଟିସ କୟାନିଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିଥିଲେ ଯେ ଫରହାଦ ଶାହ ପାକ୍-ଅଧିକୃତ କାଶ୍ମୀର (ପିଓକେ)ରେ ପୁଲିସ ହେପାଜତରେ ଅଛନ୍ତି ଏବଂ ତାଙ୍କୁ ଇସଲାମାବାଦ ହାଇକୋର୍ଟରେ ହାଜର କରାଯାଇପାରିବ ନାହିଁ। ଅତିରିକ୍ତ ଆଟର୍ଣ୍ଣି ଜେନେରାଲ କହିଥିଲେ ଯେ କାଶ୍ମୀର ଏକ ବିଦେଶୀ ଅଞ୍ଚଳ ଯାହାର ନିଜସ୍ୱ ସମ୍ବିଧାନ ଓ ନିଜସ୍ୱ ଅଦାଲତ ଅଛି ଏବଂ ପିଓକେରେ ପାକିସ୍ତାନୀ ଅଦାଲତଙ୍କ ରାୟକୁ ବିଦେଶୀ ଅଦାଲତର ରାୟ ଭାବରେ ଦେଖାଯାଏ।

Advertisment

ଜଷ୍ଟିସ କୟାନି ପଚାରିଥିଲେ, ଯଦି ପିଓକେ ଏକ ବିଦେଶୀ ଅଞ୍ଚଳ, ତେବେ ପାକିସ୍ତାନୀ ସେନା ଓ ପାକିସ୍ତାନୀ ରେଞ୍ଜରମାନେ କିପରି ତାଙ୍କ ଇଲାକା ଭିତରକୁ ପ୍ରବେଶ କରୁଛନ୍ତି? ଶୁଣାଣି ସମୟରେ କୟାନୀ ଲୋକଙ୍କୁ ଜୋରଜବରଦସ୍ତ ଅପହରଣ କରୁଥିବା ପାକିସ୍ତାନର ଗୁଇନ୍ଦା ଏଜେନ୍ସିମାନଙ୍କୁ ନିନ୍ଦା କରିଥିଲେ। କାଶ୍ମୀର କବି ଅହମଦ ଫରହାଦ ଶାହଙ୍କୁ ଧୀରକୋଟ ପୁଲିସ ଅଟକ ରଖିଥିବା କୋର୍ଟରେ ଯୁକ୍ତି ଉପସ୍ଥାପନ ବେଳେ ଜଣାପଡ଼ିଥିଲା। ତାଙ୍କ ବିରୋଧରେ ପିଓକେରେ ଦୁଇଟି ମାମଲା ରହିଛି। ୧୯୪୭ ମସିହାରୁ ପାକିସ୍ତାନ ଦଖଲରେ ଥିବା ପିଓକେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ, ଯାହାକୁ ନିକଟରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଦୋହରାଇଛନ୍ତି। ଜୟଶଙ୍କର କହିଛନ୍ତି ଯେ ଏହା (ପିଓକେ) ସବୁବେଳେ ଭାରତ ସହିତ ରହିଛି ଏବଂ ସର୍ବଦା ଭାରତର ହୋଇ ରହିବ। କବି ତଥା ସାମ୍ବାଦିକ ଅହମଦ ଫରହାଦ ଶାହ ପିଓକେ ଓ ଏହାର ଲୋକଙ୍କ ଅଧିକାର ପାଇଁ ଲଢ଼ୁଥିବା ଜଣେ କାର୍ଯ୍ୟକର୍ତ୍ତା। ଅତୀତରେ ସେ ପିଓକେରେ ଅନେକ ସରକାର-ବିରୋଧୀ ବିକ୍ଷୋଭର ନେତୃତ୍ୱ ନେଇଥିଲେ ଓ ଅଂଶଗ୍ରହଣ କରିଥିଲେ।