ନୂଆଦିଲ୍ଲୀ: ଏକ ବିରଳ ସାର୍ବଜନୀନ ସ୍ବୀକାରୋକ୍ତି‌ରେ ପାକିସ୍ତାନ ବିଦେଶ ମନ୍ତ୍ରୀ ଇଶାକ ଦାର୍‌ କହିଛନ୍ତି,  ଭାରତ କେବେ ବି ଦୁଇ ରାଷ୍ଟ୍ର ମଧ୍ୟରେ ଥିବା ପ୍ରସଙ୍ଗରେ ତୃତୀୟ ପକ୍ଷର ହସ୍ତକ୍ଷେପ ପାଇଁ ରାଜି ହୋଇନାହିଁ। ଦାର୍‌ଙ୍କର ଏହି ଟିପ୍ପଣୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ଦାବିକୁ ସିଧାସଳଖ ମିଛ ସାବ୍ୟସ୍ତ କରିଛି।  ଅପରେସନ୍‌ ସିନ୍ଦୂର ସମୟରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଟ୍ରମ୍ପ ମଧ୍ୟସ୍ଥତା କରିଥିବା ନେଇ ବାରମ୍ବାର ଦାବି କରିଥିଲେ।  ତେବେ ଟ୍ରମ୍ପଙ୍କର ଏହି ଦାବିକୁ ମିଥ୍ୟା ପ୍ରମାଣିତ କରି ପାକ୍‌ ବିଦେଶ ମନ୍ତ୍ରୀ କହିଛନ୍ତି, ଅସ୍ତ୍ରବିରତି ପାଇଁ ଭାରତ କେବେ ବି ତୃତୀୟ ପକ୍ଷ ମଧ୍ୟସ୍ଥତାରେ ରାଜି ହୋଇନାହିଁ।

Advertisment

ଏକ ସାକ୍ଷାତକାରରେ ଦାର୍‌ କହିଛନ୍ତି, ପାକିସ୍ତାନ ଭାରତ ସହ କଥାବାର୍ତ୍ତା ପାଇଁ ପ୍ରସ୍ତୁତ ଥିବାବେଳେ ଭାରତ କୌଣସି ଉତ୍ତର ରଖିନଥିଲା। ଭାରତ ସର୍ବଦା ଏହାକୁ ଏକ ଦ୍ବିପାକ୍ଷିକ ପ୍ରସଙ୍ଗ ଭ‌ାବେ ରଖି ଆସିଛି ବୋଲି ସେ ନିର୍ଦ୍ଦିଷ୍ଟ ଭାବେ ସ୍ପଷ୍ଟ କରିଛନ୍ତି।  ଉଲ୍ଲେଖଯୋଗ୍ୟ,  ‌ଗତ ମେ’ ମାସରେ ଭାରତ ପକ୍ଷରୁ ଅପରେସନ୍‌ ସିନ୍ଦୂର ଆରମ୍ଭ ହେବାପରେ ୨ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଯେଉଁ ଉତ୍ତେଜନା ଦେଖିବାକୁ ମିଳିଥିଲା। ସେ ସମୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରଥମେ  ଟ୍ରୁଥ୍‌ ‌ସୋସିଆଲ ପ୍ଲାଟଫର୍ମରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଥିବା ଘୋଷଣା କରିଥିଲେ।