ନୂଆଦିଲ୍ଲୀ: ଆଜି ପୋଖରାନ୍ରେ ଭାରତୀୟ ସେନା ଅତି କ୍ଷିପ୍ର ଉଡ଼ନ୍ତା ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣରେ ଉଲ୍ଲସିତ ହୋଇପଡ଼ିଥିବା ବେଳେ ପଡ଼ୋଶୀ ପାକିସ୍ତାନ ନିଜ ସେନା ପାଇଁ ଚୀନ୍ଠାରୁ ହାତେଇଥିବା ଶକ୍ତିଶାଳୀ କ୍ଷେପଣାସ୍ତ୍ର ନିରୀକ୍ଷଣ ପ୍ରଣାଳୀ ଖବର ଚିନ୍ତାର କାରଣ ହୋଇଛି। ବ୍ୟାପକ ଅର୍ଥବ୍ୟୟରେ ବନ୍ଧୁରାଷ୍ଟ୍ର ଚୀନ୍ଠାରୁ ଆହରଣ କରିଥିବା ଏହି ନିରୀକ୍ଷଣ ପ୍ରଣାଳୀ ପାକିସ୍ତାନର ବିବିଧ ଯୁଦ୍ଧାସ୍ତ୍ର ବହନକାରୀ କ୍ଷେପଣାସ୍ତ୍ର ପ୍ରଣାଳୀର ବିକାଶ ଓ ପରୀକ୍ଷଣ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ନିଭାଇବ ବୋଲି କୁହାଯାଉଛି। ଏଥି ସହିତ ଏଥିରେ ଖଚିତ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ଶତ୍ରୁପକ୍ଷର ଯାବତୀୟ କ୍ଷେପଣାସ୍ତ୍ର ଗତିବିଧିକୁ ନିର୍ଭୁଲ୍ ଭାବେ ଠଉରାଯାଇପାରିବା ସହ ତତ୍କାଳ ଆଶୁ ମୁକାବିଲା ପାଇଁ ମଧ୍ୟ ପଦକ୍ଷେପ ନେଇହେବ। ଫଳରେ ଅଦୃଶ୍ୟ ଇଲାକାରେ ଲକ୍ଷ୍ୟଭେଦ କରିବା ପାଇଁ ଭାରତୀୟ କ୍ଷେପଣାସ୍ତ୍ର ବ୍ରହ୍ମୋସ୍ର ସଦ୍ୟ ସଫଳ ପରୀକ୍ଷା ପାକିସ୍ତାନ ପ୍ରସଙ୍ଗରେ ଫିିକା ହୋଇଯାଇଛି ବୋଲି ସାମରିକ ବିଶେଷଜ୍ଞଙ୍କ ମତ। ଏପରିକି ଚୀନ୍ ନିର୍ମିତ ଏହି ସ୍ୱତନ୍ତ୍ର ନିରୀକ୍ଷଣ ପ୍ରଣାଳୀକୁ ପାକିସ୍ତାନ କୌଣସି ସାମରିକ ଘାଟିରେ ନିୟୋଜିତ କରିଥିବା ଗୁପ୍ତ ଖବର ଭାରତୀୟ ସେନା ପାଇଁ ମୁଣ୍ଡବିନ୍ଧା ସାଜିଛି। ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଚୀନ୍ ଦ୍ୱାରା ନିର୍ମିତ ଏଭଳି ଅତି ସମ୍ବେଦନଶୀଳ ଯନ୍ତ୍ରାଂଶ ପ୍ରଥମ ଦେଶ ଭାବେ ପାକିସ୍ତାନକୁ ଯୋଗାଇ ଦିଆଯାଇଛି। ଅବଶ୍ୟ ଏଥିପାଇଁ ଦୁଇ ଦେଶ ମଧ୍ୟ କେତେ ଅର୍ଥ କାରବାର ହୋଇଛି, ସବିଶେଷ ବିବରଣୀ ମିଳିନାହିଁ, ତେବେ ଏଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ସଂପନ୍ନ ପ୍ରଣାଳୀ ଲାଭ କରି ପାକସ୍ତାନ ନିଜ ସାମରିକ ଦକ୍ଷତାକୁ ଆହୁରି ଶାଣିତ କରିପାରିବ ବୋଲି ହଂକଂରୁ ପ୍ରକାଶିତ ଖବରକାଗଜ ‘ସାଉଥ୍ ଚାଇନା ମର୍ଣିଂ ପୋଷ୍ଟ୍’ ଦାବି କରିଛି। ଚୀନ୍ର ଗବେଷଣା ସଂସ୍ଥା ଚାଇନିଜ୍ ଏକାଡେମି ଅଫ୍ ସାଇନ୍ସ(କ୍ୟାସ୍)ର ଜଣେ ବୈଜ୍ଞାନିକ ଏ ସଂକ୍ରାନ୍ତ ସୂଚନା ଦେବା ପରେ କଥା ବାହାରକୁ ଆସିଛି। ଇସଲାମାବାଦର କ୍ଷେପଣାସ୍ତ୍ର ବିକାଶ ଯୋଜନାକୁ ବେଜିଂ ପ୍ରଶାସନ ଭରପୂର ସହଯୋଗ କରିଆସୁଥିବା କେବଳ ଶୁଣାକଥା ହୋଇ ରହିଥିଲା। ତେବେ ଏ ଦିଗରେ କ୍ୟାସ୍ ବୈଜ୍ଞାନିକଙ୍କ ସ୍ୱୀକାରୋକ୍ତି ପାକିସ୍ତାନର ସାମରିକ ପ୍ରସ୍ତୁତି ପଛରେ ଚୀନ୍ର ଅହେତୁକ ସହଯୋଗକୁ ସ୍ପଷ୍ଟ କରିଛି। ପାକିସ୍ତାନରେ ଏହି ପ୍ରଣାଳୀ କେବେଠାରୁ ନିୟୋଜିତ ଏବଂ କାର୍ଯ୍ୟକାରୀ ହୋଇଛି, ସେ ସମ୍ପର୍କରେ ଠୋସ୍ ସୂଚନା ମିଳିପାରିନାହିଁ। ବିଶ୍ୱର ସବୁଠୁ ଦ୍ରୁତଗାମୀ ତଥା ଶବ୍ଦର ତିନିଗୁଣା ଅଧିକ ବେଗରେ ଲକ୍ଷ୍ୟଭେଦ କରିପାରୁଥିବା ଭାରତୀୟ କ୍ଷେପଣାସ୍ତ୍ର ବ୍ରହ୍ମୋସର ଉଡ଼ନ୍ତା ପରୀକ୍ଷଣ ଆଜି ସଫଳତାର ସହ ସଂପନ୍ନ ହୋଇଥିବା ପରିପ୍ରେକ୍ଷୀରେ ହଂକଂ ସମ୍ବାଦପତ୍ରରେ ପ୍ରକାଶିତ ପାକିସ୍ତାନର ଉପଲବ୍ଧି ଭାରତକୁ ସାମରିକ କ୍ଷେତ୍ରରେ ଅଧିକ ଜ୍ଞାନକୌଶଳ ବିକାଶ କରିବା ଲାଗି ପରୋକ୍ଷରେ ଆହ୍ଵାନ କରିଛି।
ଭାରତୀୟ କ୍ଷେପଣାସ୍ତ୍ର ଉପରେ ନଜର
ପାକ୍ ପାଇଲା ଚୀନ୍ର ଶକ୍ତିଶାଳୀ ନିରୀକ୍ଷଣ ପ୍ରଣାଳୀ
/sambad/media/post_attachments/wp-content/uploads/2018/03/eea0e2a6-29ab-11e8-b567-adb1113855b0_1280x720_175724.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)