ପାକିସ୍ତାନ ମାନିଲା : ଦାଉଦ କରାଚିରେ, ଆତଙ୍କବାଦୀ ଘୋଷିତ

ନୂଆଦିଲ୍ଲୀ : ଶେଷରେ ପାକିସ୍ତାନ ମାନିଲା ଯେ ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାର ପ୍ରମୁଖ ଅଭିଯୁକ୍ତ କୁଖ୍ୟାତ ଡନ୍ ଦାଉଦ ଇବ୍ରାହିମ ପାକିସ୍ତାନରେ ହିଁ ଅଛି। କେବଳ ଏତିକି ନୁହେଁ ତାକୁ ଆତଙ୍କବାଦୀ ମଧ୍ୟ ଘୋଷଣା କରିଛି। ପାକିସ୍ତାନ ଆଜି ଯେଉଁ ୮୮ଟି ଆତଙ୍କବାଦୀ ସଂଗଠନ ଏବଂ ସେମାନଙ୍କ ନେତାଙ୍କ ବିଷୟରେ ସୂଚନା ଦେଇ ସେମାନଙ୍କ ଉପରେ କଠୋର କଟକଣା ଲଗାଇଛି ସେମାନଙ୍କ ମଧ୍ୟରେ ରହିଛି ଦାଉଦ ଇବ୍ରାହିମ। ଅନ୍ୟ ଆତଙ୍କବାଦୀ ହେଲେ ହାଫିଜ ସୟୀଦ, ମାସୁଦ ଆଝାର ଏବଂ ଜକିଉର ରହେମାନ ଲଖଭୀ। ସେମାନଙ୍କର ସଂପତ୍ତିକୁ ବାଜ୍ୟାପ୍ତ କରାଯିବା ସହିତ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଜବତ କରାଯାଇଥିବା ପାକିସ୍ତାନ ପକ୍ଷରୁ ସୂଚନା ଦିଆଯାଇଛି।

ଆତଙ୍କବାଦୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ପାକିସ୍ତାନକୁ ଆର୍ଥିକ ସହାୟତା ବନ୍ଦ କରି ଦିଆଯିବ ବୋଲି ପ୍ୟାରିସ ସ୍ଥିତ ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫ୍‌ଏଟିଏଫ୍) ଧମକ ଦେବାପରେ ପାକିସ୍ତାନ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଛି। ପାକିସ୍ତାନ ଏହାର ମାଟିରେ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେବା ଏବଂ ଆନ୍ତର୍ଜାତିକ ଚାପରେ ସେମାନଙ୍କ ବିରୋଧରେ ଲୋକଦେଖାଣିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କିଛି ନୂଆ କଥା ନୁହେଁ। କିନ୍ତୁ ଦାଉଦ ଇବ୍ରାହିମ ପାକିସ୍ତାନରେ ହିଁ ରହିଛି ‌ବୋଲି ପ୍ରଥମ ଥର ସ୍ବୀକାର କରିଛି। ଦାଉଦ କରାଚିରେ ରହିଛି ଏବଂ ତାହାର ଠିକଣା ସଂପର୍କରେ ଭାରତ ଅନେକ ଥର ପ୍ରମାଣ ଦେଇଥିଲେ ମଧ୍ୟ ପାକିସ୍ତାନ ଏହାକୁ ଗ୍ରହଣ କରୁନଥିଲା। ତେବେ ଆନ୍ତର୍ଜାତିକ ଚାପରେ ଶେଷରେ ଆଜି ଏହା ସ୍ବୀକାର କରିଛି। ପାକିସ୍ତାନ ପକ୍ଷରୁ ଜାରି ସୂଚନା ଅନୁସାରେ ଦାଉଦର ଠିକଣା ହେଉଛି ‘ହ୍ବାଇଟ୍ ହାଉସ୍, ସାଉଦି ମସଜିଦ ନିକଟ, କରାଚି’। କରାଚିରେ ତାର ଆଉ ଦୁଇଟି ବଡ଼ ବଡ଼ ବଙ୍ଗଲା ରହିଛି। ତାହା ହେଲା ‘ହାଉସ୍ ନୁ ୩୭’ ଏବଂ ‘ପାଲାସିଆଲ୍ ବଙ୍ଗଲା’।

ସୂଚନାଯୋଗ୍ୟ ଯେ ଦାଉଦ କରାଚିରେ ଥିବା ନେଇ ଭାରତ ଗତ ୨୫ ବର୍ଷରୁ ଅଧିକ ସମୟ ଧରି କହି ଆସୁଛି ଏବଂ ପ୍ରମାଣ ବି ଦେଉଛି। କିନ୍ତୁ ପାକିସ୍ତାନ ଏହାକୁ ମାନିବାକୁ ପ୍ରସ୍ତୁତ ନଥିଲା। ୧୯୯୩ ମୁମ୍ବାଇ ବିସ୍ଫୋରଣ ପରେ ସେ ଭାରତ ଛାଡ଼ି ପାକିସ୍ତାନରେ ଆଶ୍ରୟ ନେଇଥିଲା। ଏହି ବିସ୍ଫୋରଣରେ ୨୫୭ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ଅନେକ ଆତଙ୍କବାଦୀ ଆକ୍ରମଣ, ଅର୍ଥ ହେରଫେର ଏବଂ ବଟି ଆଦାୟ ଭଳି ‌ଅନେକ ଅପରାଧିକ ମାମଲାରେ ଦାଉଦ ଅଭିଯୁକ୍ତ ରହିଛି। ଲସ୍କର ଏବଂ ଅଲ କାଏଦା ଭଳି ଆତଙ୍କବାଦୀ ସଂଗଠନକୁ ଦାଉଦ ଆର୍ଥିକ ସହାୟତା ଦେଉଥିବା ନେଇ ଉଭୟ ଭାରତ ଏବଂ ଆମେରିକା କହି ଆସୁଛନ୍ତି।

ସମ୍ବନ୍ଧିତ ଖବର