ପାକ୍‌ ଅଣୁ ଅସ୍ତ୍ର ପାଇଁ ପରମାଣୁ ଯୁଦ୍ଧ ସମ୍ଭବ

ଓ୍ଵାସିଂଟନ: ପାକିସ୍ତାନର ପରମାଣୁ ଅସ୍ତ୍ର କେବଳ ଆଞ୍ଚଳିକ ସୁରକ୍ଷା ପାଇଁ ବିପଦ ନୁହେଁ, ଏହି ଅସ୍ତ୍ର ବଡ଼ଧରଣର ପରମାଣୁ ଯୁଦ୍ଧ ପାଇଁ ମଧ୍ୟ ରାସ୍ତା ଫିଟାଇଦେବ ବୋଲି ଆମେରିକା ଥିଙ୍କ୍‌ ଟ୍ୟାଙ୍କ୍‌ର ଏକ ରିପୋର୍ଟରେ କୁହାଯାଇଛି। ଆଟଲାଣ୍ଟିକ କାଉନ୍‌୍‌ସିଲ ଏହାର ରିପୋର୍ଟ ‘ଏସିଆ ଇନ୍‌ ସେକେଣ୍ଡ ନ୍ୟୁକ୍ଲିୟର ଏଜ୍‌’ରେ କହିଛି ଯେ ପାକିସ୍ତାନର ପରମାଣୁ ଅସ୍ତ୍ର ଯେଉଁ ସ୍ଥିତିରେ ରହିଛି ଏବଂ ଏହି ରାଷ୍ଟ୍ର ଯେଭଳି ଅବସ୍ଥା ଦେଇ ଗତି କରୁଛି ତାହା ପରମାଣୁ ଯୁଦ୍ଧ ପାଇଁ ବାଟ ଫିଟାଇବା ସମ୍ଭାବନା ରହିଛି। ପାକିସ୍ତାନର ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମ ସୁରକ୍ଷା ଓ ପ୍ରତିରକ୍ଷା କାରଣରୁ ମଧ୍ୟ ଅତ୍ୟନ୍ତ ବିପଜ୍ଜନକ। ଏହି ରାଷ୍ଟ୍ର ସହିତ ଏକ ସାଧାରଣ ଯୁଦ୍ଧ ମଧ୍ୟ ପରମାଣୁ ଯୁଦ୍ଧରେ ପରିଣତ ହେବା ସମ୍ଭାବନା ଯଥେଷ୍ଟ ଅଧିକ। ପାକିସ୍ତାନର ପରମାଣୁ ଅସ୍ତ୍ରକୁ ସୁରକ୍ଷା ଦେଉଥିବା ସଂସ୍ଥାଗୁଡ଼ିକ ଅଧିକ ଶକ୍ତିଶାଳୀ ହୋଇଉଠିଛନ୍ତି ଏବଂ ଶାସନ ବ୍ୟବସ୍ଥା ସହିତ ତାଳମେଳର ଅଭାବ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି। ଭବିଷ୍ୟତରେ ପାକିସ୍ତାନର ଗଣତନ୍ତ୍ର ବିପଦଗ୍ରସ୍ତ ହେବା ଆଶଙ୍କା ରହିଛି। ଏଭଳି ସ୍ଥିତିରେ ପାକିସ୍ତାନର ପରମାଣୁ ଅସ୍ତ୍ର ନେଇ ଉଦ୍‌ବେଗ ବଢ଼ିବ ବୋଲି କୁହାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ ବିଗତ ୪୦ ବର୍ଷ ଭିତରେ ଆତଙ୍କବାଦ ମାଧ୍ୟମରେ ଭାରତ ଓ ଆଫଗାନିସ୍ତାନରେ ଅଶାନ୍ତି ସୃଷ୍ଟି ପାଇଁ ପାକିସ୍ତାନର ପ୍ରୟାସ ଭିନ୍ନ ପରିସ୍ଥିତି ସୃଷ୍ଟି କରିଛି । ଗୋଟିଏ ପଟେ ଭାରତ ଓ ଆଫଗାନିସ୍ତାନ ଆତଙ୍କବାଦରେ ପୀଡ଼ିତ ଥିବା ବେଳେ ଅନ୍ୟପଟେ ପାକିସ୍ତାନ ମଧ୍ୟ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଯାଇଥିବାରୁ ଏହା ବାରୁଦ ଗଦାରେ ବସିଛି। ପାକିସ୍ତାନ ସେନାର ଅତ୍ୟନ୍ତ ସମ୍ବେଦନଶୀଳ ଅଂଚଳରେ ମଧ୍ୟ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ସକ୍ଷମ ହୋଇଛନ୍ତି। ଏଭଳି ସ୍ଥିତିରେ ପାକ୍‌ ପରମାଣୁ ଅସ୍ତ୍ରକୁ କିଭଳି ସୁରକ୍ଷା ମିଳୁଛି ତାହା ଏକ ବଡ଼ ପ୍ରଶ୍ନବାଚୀ ବୋଲି ରିପୋର୍ଟରେ କୁହାଯାଇଛି। ଗୋଟିଏ ପଟେ ଆତଙ୍କବାଦୀଙ୍କ କାୟାବିସ୍ତାର ଓ ଅନ୍ୟପଟେ ଗଣତାନ୍ତ୍ରିକ ସଂସ୍ଥାର ପ୍ରଭାବ ହ୍ରାସ ଯୋଗୁଁ ପାକିସ୍ତାନକୁ ନେଇ ବିପଦ ବଢ଼ୁଛି। ଭାରତ ଓ ଚୀନ୍‌ ମଧ୍ୟ ସେମାନଙ୍କ ଅଣୁ ଅସ୍ତ୍ର କାର୍ଯ୍ୟକ୍ରମ ଯଥାରୀତି ଜାରି ରଖିଛନ୍ତି। ଉଭୟ ରାଷ୍ଟ୍ର ପରମାଣୁ ଆକ୍ରମଣର ମୁକାବିଲା ପାଇଁ ଦ୍ୱିତୀୟ ବାର ପରମାଣୁ ଆକ୍ରମଣ କରିବା ପାଇଁ ସାମର୍ଥ୍ୟ ରଖୁଥିବା ଏହି ରିପୋର୍ଟରେ କୁହାଯାଇଛି ।

ସମ୍ବନ୍ଧିତ ଖବର