ଅଶାନ୍ତ ଏଲ୍‌ଓସି : ଲକ୍ଷେ ଗାଁ ଛାଡ଼ିଲେ, ଜନଶୂନ୍ୟ ହେଲା ୬୦ ଗ୍ରାମ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୀମାବର୍ତ୍ତୀ ଗ୍ରାମଗୁଡ଼ିକ ଏବେ ଜନଶୂନ୍ୟ ହୋଇଯାଇଛି। ସପ୍ତାହେ ଧରି ପାକିସ୍ତାନର ଅନବରତ ଗୁଳିଗୋଳା ମାଡ଼ ଯେଗୁଁ ଅଣାୟତ୍ତ ସ୍ଥିତି ଉପୁଜିବା ପରେ ୫ଟି ସେକ୍ଟରର ୬୦ଟି ଗ୍ରାମ ଜନଶୂନ୍ୟ ହୋଇଯାଇଛି। ଆଜି ସୁଦ୍ଧା ପ୍ରାୟ ୧ ଲକ୍ଷ ଲୋକ ଘରଦ୍ୱାର ଛାଡ଼ି ଅନ୍ୟତ୍ର ପଳାଇଛନ୍ତି। ପଳାୟନ କରିଥିବା ଲୋକଙ୍କ ମଧ୍ୟରୁ ୪୦ ପ୍ରତିଶତ ଲୋକ ପ୍ରଶାସନର ସୁରକ୍ଷା ଶିବିରରେ ରହିଥିବା ବେଳେ ଅନ୍ୟମାନେ ନିଜସ୍ୱ ଉଦ୍ୟମରେ ଅନ୍ୟତ୍ର ରହିଛନ୍ତି। ଉଭୟ ପଟୁ ଭାରୀ ଯୁଦ୍ଧାସ୍ତ୍ରରେ ଗୁଳିଗୋଳା ବିନିମୟ ଚାଲିଥିବାରୁ ଏଭଳି ଅଣାୟତ୍ତ ସ୍ଥିତି ଉପୁଜିଛି। ଜମ୍ମୁ-କଠୁଆ ସେକ୍ଟର, ଅଖନୁର ସେକ୍ଟର, ସାମ୍ବା ଏବଂ ପୁଞ୍ଚ ସେକ୍ଟରରେ ଭୟଙ୍କର ସ୍ଥିତି ଲାଗି ରହିଛି। ୨୦୧୬ରେ ଉରି ସେନା ଶିବିରରେ ଆକ୍ରମଣ ପରେ ଯେଭଳି ସ୍ଥିତି ସୃଷ୍ଟି ହୋଇଥିଲା ଏବେ ତାହାର ପୁନରାବୃତ୍ତି ହୋଇଛି । ପ୍ରାୟ ୨ ହଜାର ଘର ପାକିସ୍ତାନର ଗୋଳାମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୭୦ଟି ଗ୍ରାମରେ ବାସିନ୍ଦା ଗାାଁରେ ଅସମ୍ଭବ ହୋଇପଡ଼ିଛି। ପାକିସ୍ତାନ ଉଦ୍ଦେଶ୍ୟମୂଳକ ଭାବେ ଜନବସତିଗୁଡ଼ିକୁ ଟାର୍ଗେଟ୍‌ କରି ଭାରତୀୟ ସେନାକୁ ଚାପରେ ରଖିବାକୁ ଚାହୁଛି। ଲଗାତାର ଦଶମ ଦିନ ପାଇଁ ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି ଏବଂ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ମଧ୍ୟ ଉଦ୍ୟମ କରାଯାଉଛି । ପ୍ରବଳ ମୋର୍ଟାର ମାଡ଼ରୁ ରକ୍ଷା ପାଇଁ ବିଭିନ୍ନ ଗ୍ରାମରେ ସୁଡ଼ଙ୍ଗ କରାଯାଇଥିଲେ ମଧ୍ୟ ତାହା କୌଣସି କାମରେ ଆସୁନାହିଁ। ପାକ୍‌ ଟାର୍ଗେଟ୍‌ରେ ଥିବା ୬ଟି ସେକ୍ଟର ଅଂଚଳରେ ସେନା ମୁତୟନ ବଢ଼ାଇ ଦିଆଯାଇଛି । ପାକିସ୍ତାନ ପଟେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ମିଳିଛି। ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ୪ ଦିନରେ ତଳେ ପାକିସ୍ତାନର ୩ଟି ସୁରକ୍ଷା ଘାଟି ଧ୍ୱଂସ ହୋଇଯିବାରୁ ଏଥିରେ ପ୍ରତିକ୍ରିୟାଶୀଳ ହୋଇ ପାକିସ୍ତାନ ଆଖିବୁଜା ଗୁଳିଗୋଳା ମାଡ଼ ଜାରି ରଖିଛି। ସମ୍ବେଦନଶୀଳ ୧୪ଟି ଗ୍ରାମକୁ ଆଜି ସେନା ସୁରକ୍ଷା ଯୋଗାଇ ଦେବା ସହ ପାକିସ୍ତାନକୁ ଭାରୀ ଯୁଦ୍ଧାସ୍ତ୍ରରେ କଡ଼ା ଜବାବ ଦେଇଥିଲା। ଫଳରେ ସଂପୃକ୍ତ ଅଂଚଳରେ ଗୁଳିବର୍ଷା ଅଚାନକ ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ଜମ୍ମୁରେ ଆଜି ଆତଙ୍କବାଦୀ ସକ୍ରିୟ ହୋଇଉଠିଛନ୍ତି। ଜମ୍ମୁ ବସ୍‌ଷ୍ଟାଣ୍ଡ ନିକଟରେ ପୁଲିସର ଏକ ଟ୍ରକ୍‌ ଉପରକୁ ଆତଙ୍କବାଦୀ ଗ୍ରେନେଡ ମାଡ଼ କରିବାରୁ ୩ ପୁଲିସ କର୍ମୀଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର