ପାକିସ୍ତାନରୁ ନେଇ ହିନ୍ଦୁସ୍ତାନ ପର୍ଯ୍ୟନ୍ତ ସବୁଠି ଶୁଭେଚ୍ଛାର ସୁଅ: ପ୍ରଥମ ଥର ପାଇଁ ପାକ୍ ବାୟୁସେନାରେ ହିନ୍ଦୁ ପାଇଲଟ୍ ନିଯୁକ୍ତ
ଇସଲାମାବାଦ୍: ଏବେ ସୋସିଆଲ ମିଡ଼ିଆରେ କେବଳ ଗୋଟିଏ ନାଁ ଶୁଣିବାକୁ ମିଳୁଛି ତାହା ହେଲା ରାହୁଲ ଦେବ । କିନ୍ତୁ ଆମେ ବଲିଉଡ୍ ଷ୍ଟାର ରାହୁଲ ଦେବଙ୍କ କଥା କହୁନୁ ବରଂ ପାକିସ୍ତାନ ଆକାଶରେ ଇତିହାସ ସୃଷ୍ଟି କରିଥିବା ରାହୁଲ ଦେବକଙ୍କ ବିଷୟରେ କହୁଛୁ । ପାକ୍ ବାୟୁସେନାରେ ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ପାଇଲଟ ଭାବେ ନିଯୁକ୍ତ ପାଇଛନ୍ତି । ଯାହାକୁ ନେଇ ଏବେ ପାକିସ୍ତାନରୁ ହିନ୍ଦୁସ୍ତାନ ପର୍ଯ୍ୟନ୍ତ ସୋସିଆଲ ମିଡ଼ିଆରେ ସବୁଠି ଚର୍ଚ୍ଚା ।
Sambad is now on WhatsApp
Join and get latest news updates delivered to you via WhatsApp
ରାହୁଲ ଦେବ, ବୟସ ପାଖାପାଖି ୨୬ ବହୁ ସଂଖ୍ୟକ ହିନ୍ଦୁ ବସବାସ କରୁଥିବା ସିନ୍ଧ ପ୍ରଦେଶର ଥାରପରକର ଗାଁରେ ତାଙ୍କର ଜନ୍ମ । ଯେତେବେଳେ ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁଙ୍କ ପ୍ରତି ଅତ୍ୟାଚାର ଅଭିଯୋଗ ବଢିବାରେ ଲାଗୁଛି ସେତିକି ବେଳେ ପାକ୍ ବାୟୁସେନାର ପ୍ରଥମ ହିନ୍ଦୁ ପାଇଲଟ୍ ଭାବେ ମଙ୍ଗ ସମ୍ଭାଳିବେ ରାହୁଲ । ପାକ୍ ବାୟୁସେନାର ଜେନେରାଲ୍ ଡ୍ୟୁଟି ଅଫିସର ଭଳି ବଡ଼ ପଦବୀ ସମ୍ଭାଳିବେ ଏହି ପଛୁଆ ଜିଲ୍ଲାର ପୁଅ । ଆଉ ଏହା ଦର୍ଶାଉଛି ଯେ, ତାଙ୍କ ସଂଘର୍ଷମୟ ଜୀବନ କେବେ ହେଲେ ସହଜମୟ ହୋଇ ନଥିବ।
ରାହୁଲଙ୍କ ଜିଲ୍ଲା ଥାରପକର ସିନ୍ଧ ପ୍ରଦେଶର ପଛୁଆ ଜିଲ୍ଲା ଭାବେ ପରିଗଣିତ ହୁଏ । ନା ମୌଳିକ ସୁବିଧା ନା ଶିକ୍ଷାର ବିଶେଷ ସୁବିଧା କିଛି ଏଠାରେ ଥାଏ । ଏପରିକି ଏହି ଜିଲ୍ଲାର ଆର୍ଥିକ ସ୍ଥିତିଠୁ ଆରମ୍ଭ କରି ଖାଦ୍ୟାଭାବ ଭଳି ସଙ୍କଟ ଲାଗି ରହିଛି । ହେଲେ ଠିକ୍ ସେତିକିବେଳେ ପାକିସ୍ତାନୀ ବାୟୁସେନାରେ ପ୍ରଥମ ହିନ୍ଦୁ ପାଇଲଟ୍ ଭାବେ ନିଯୁକ୍ତି ପାଇଛନ୍ତି ରାହୁଲ । ରିସାଲପୁରର ପାକ୍ ବାୟୁସେନା ଏକାଡେମୀରେ ଆୟୋଜିତ ଏକ ସମାରୋହରେ ରାହୁଲଙ୍କୁ ଜେନେରାଲ୍ ଡ୍ୟୁଟି ଅଫିସର ଭାବେ ଦାୟିତ୍ୱ ଦେଇଛନ୍ତି ପାକ୍ ବାୟୁସେନର ମୁଖ୍ୟ ମାର୍ଶଲ ମୁଜାହିଦ୍ ଅନୱର ଖାନ୍ ।
ଅନ୍ୟପଟେ ଇତିହାସ ରଚିଥିବା ରାହୁଲଙ୍କ ଏହି ସଫଳତା ଅନ୍ୟ ସଂଖ୍ୟାଲଘୁଙ୍କ ପାଇଁ ଏବେ ପ୍ରେରଣା ଦେଇଛି । ତାଙ୍କ ସଫଳତା ନେଇ ସମସ୍ତ ପାକିସ୍ତାନୀ ହିନ୍ଦୁ ପଞ୍ଚାୟତ ସଚିବ ରବି ଦୱାନୀ କହିଛନ୍ତି କି, ସଂଖ୍ୟାଲଘୁ ସମାଜର ଅନେକ ସଦସ୍ୟ ସେନାର ଅନ୍ୟ ପଦବୀରେ ଅଛନ୍ତି କିନ୍ତୁ ସରକାର ଯଦି ଆମ ପ୍ରତି ଧ୍ୟାନ ଦିଅନ୍ତି ତେବେ ରାହୁଲଙ୍କ ଭଳି ଅନେକ ଦେଶସେବା କରିବାକୁ ଆଗେଇ ଆସିବେ ।