ନୂଆଦିଲ୍ଲୀ: ମେ ୧୦ ତାରିଖ ରାତିରେ ଭାରତୀୟ ସେନାର ୪ଟି ବଡ଼ ଧରଣର ଏୟାର୍ ଷ୍ଟ୍ରାଇକ୍ ପରେ ପାକିସ୍ତାନ ବିଚଳିତ ହୋଇ ଅସ୍ତ୍ରବିରତି ପାଇଁ ଆମେରିକାକୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲା। ପାକିସ୍ତାନର ତଥାକଥିତ ଅପରେସନ ‘ବୁନ୍ୟାନ୍-ଅଲ୍-ମାର୍ସୁସ୍‌’ ମାତ୍ର ୮ ଘଣ୍ଟା ଧରି ଚାଲିଥିଲା। ମେ ୧୦ ତାରିଖରେ ଭାରତୀୟ ବାୟୁସେନାର ଲଢୁଆ ବିମାନ ପାକିସ୍ତାନକୁ ୪ ଥର ଆକ୍ରମଣ କରିଥିଲା। ରାଫେଲ ବିମାନ ଦ୍ବାରା ସ୍କାଲ୍ପ ଓ ସୁ-୩୦ ଏମ୍‌କେଆଇ ଦ୍ବାରା ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ପ୍ରଥମ ଆକ୍ରମଣରେ ହିଁ ଭାରତୀୟ ବାୟୁସେନା ଚକଲାଲାସ୍ଥିତ ନୁର ଖାନ୍ ଏୟାର୍‌ବେସ୍‌ରେ ଥିବା ଉତ୍ତର ବାୟୁସେନା କମାଣ୍ଡ କଣ୍ଟ୍ରୋଲ ନେଟ୍‌ୱାର୍କକୁ ଉଡ଼ାଇ ଦେଇଥିଲା। ଶେଷ ଆକ୍ରମଣରେ ଭାରତ ଜାକୋବାବାଦ ଓ ଭୋଲାରି ବାୟୁସେନା ଘାଟିରେ ଆକ୍ରମଣ କରିଥିଲା କିନ୍ତୁ ସେତେବେଳକୁ ପାକିସ୍ତାନ ଯୁଦ୍ଧବିରତି ପାଇଁ ଆମେରିକାର ହସ୍ତକ୍ଷେପ ଲୋଡ଼ିଥିଲା। ୪୮ ଘଣ୍ଟା ମଧ୍ୟରେ ଭାରତୀୟ ବାୟୁସେନା ଘାଟିଗୁଡ଼ିକୁ ଧ୍ୱଂସ କରିବାକୁ ପ୍ରତିଶ୍ରୁତି ଦେଇ ପାକିସ୍ତାନ ମେ ୧୦ ତାରିଖ ରାତି ୧ଟାରେ ଆରମ୍ଭ କରିଥିବା  ବୁନ୍ୟାନ୍ ଅଲ୍-ମାର୍ସୁସ୍ ଅଭିଯାନ ସକାଳ ୯ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା।
ଅପରେସନ ସିନ୍ଦୂର ସମୟରେ ଆଦମପୁରରେ ଭାରତର ଏସ୍-୪୦୦ ଏୟାର୍ ଡିଫେନ୍ସ ସିଷ୍ଟମ୍ ୧୧ ଥର କାର୍ଯ୍ୟକ୍ଷମ ହୋଇ ପାକିସ୍ତାନର ୩୧୫ କିଲୋମିଟର ଦୂରରେ ଥିବା ପାକିସ୍ତାନୀ ସାବ-୨୦୦୦ ବାୟୁବାହୀ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥାକୁ ଧ୍ୱଂସ କରିଦେଇଥିଲା।

Advertisment

ଭାରତୀୟ ବାୟୁସେନା ପାଖରେ ପାକିସ୍ତାନର ଗୋଟିଏ ସି-୧୩୦ ଜେ ମିଡିୟମ୍ ଲିଫ୍ଟ ଏୟାର୍‌କ୍ରାଫ୍ଟ, ଗୋଟିଏ ଜେଏଫ୍-୧୭ ଏବଂ ଦୁଇଟି ଏଫ୍-୧୬ ଲଢୁଆ ବିମାନକୁ ସ୍ଥଳ ଓ ଆକାଶରେ ଖସାଇ ଦିଆଯାଇଥିବାର ପ୍ରମାଣ ରହିଛି। ମେ ୭ ତାରିଖରେ ୯ଟି ଆତଙ୍କବାଦୀ ଶିବିର ଉପରେ ହୋଇଥିବା ଆକ୍ରମଣ ସମୟରେ ୭ଟି ଶିବିର ଉପରେ ସେନା, ବାୟୁସେନା ଓ ନୌସେନା ଲଏଟରିଂ ବୋମା ମାଡ଼ କରିଥିବା ବେଳେ ମୁରିଦକେ ଓ ବାହାଵଲପୁରରେ ଥିବା ଆତଙ୍କବାଦୀ ଶିବିରକୁ ସ୍କାଲ୍ପ ଓ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ମେ ୧୦ ତାରିଖରେ ଭାରତୀୟ ଆକ୍ରମଣ ଲାହୋରରେ ହାର୍ପି କାମିକାଜେ ଡ୍ରୋନ୍ ବ୍ୟବହାର କରି ଚୀନ୍ ନିର୍ମିତ ଏଲ୍‌ୱାଇ-୮୦ ଏୟାର ଡିଫେନ୍ସ ସିଷ୍ଟମ୍‌କୁ ନଷ୍ଟ କରିଥିଲା ଏବଂ ଏକ ଭାରତୀୟ କ୍ଷେପଣାସ୍ତ୍ର କରାଚିର ମାଲିରଠାରେ ଏଚ୍‌କ୍ୟୁ-୯ (ଏସ୍-୩୦୦ର ଚୀନ୍ ସଂସ୍କରଣ)କୁ ଧ୍ବଂସ କରିଥିଲା। ମେ ୧୦ ତାରିଖ ସକାଳେ ଭାରତୀୟ ନୌସେନା ମକାରାନ ଉପକୂଳଠାରୁ ୨୬୦ ମାଇଲ ଦୂରରେ ଥିବା କରାଚି ନୌସେନା ବନ୍ଦରକୁ ଟାର୍ଗେଟ୍ କରିବାକୁ ପ୍ରସ୍ତୁତ ଥିଲା କିନ୍ତୁ ପାକିସ୍ତାନ ଡିଜିଏମ୍‌ଓ ଫୋନ କରି ନୋ ଫାୟାର ଚୁକ୍ତି କରିବାକୁ ଅନୁରୋଧ କରିଥିଲେ।