ନୂଆଦିଲ୍ଲୀ: କାବୁଲରେ ଥିବା ତେହେରିକ୍-ଏ-ତାଲିବାନ ପାକିସ୍ତାନ (ଟିଟିପି) ଶିବିରକୁ ଟାର୍ଗେଟ୍ କରି ପାକିସ୍ତାନ ସୀମାପାର ଅଭିଯାନ ଚଳାଇଥିବା ବେଳେ ଗତରାତିରେ କାବୁଲର କେତେକ ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଏହି ଆକ୍ରମଣର ସମୟ ତାଲିବାନ ବୈଦେଶିକ ମନ୍ତ୍ରୀ ଅମୀର୍ ଖାନ ମୁତ୍ତାକିଙ୍କ ପ୍ରଥମ ଭାରତ ଗସ୍ତ ସହିତ ମେଳ ଖାଉଥିବାରୁ ଉତ୍ତେଜନା ଚରମରେ ପହଞ୍ଚିଛି। ମୁତ୍ତାକିଙ୍କ ଏହି ଗସ୍ତ ପାକିସ୍ତାନକୁ ଆଶ୍ଚର୍ଯ୍ୟ କରିଥିବା ବେଳେ ନୂଆଦିଲ୍ଲୀ ଏହାର ଆଫଗାନିସ୍ତାନ ସମ୍ପର୍କକୁ ବୃଦ୍ଧି କରୁଛି। ସ୍ଥାନୀୟ ରିପୋର୍ଟରେ କୁହାଯାଇଛି ଯେ, ସାହିଦ ଅବଦୁଲ ହକ୍ ସ୍କୋୟାର ନିକଟରେ ପାକିସ୍ତାନର ବିମାନ ଆକ୍ରମଣ ଟିଟିପି ମୁଖ୍ୟ ନୁର ୱାଲି ମେହସୁଦଙ୍କୁ ନିପାତ କରିବା ପାଇଁ ଉଦ୍ଦିଷ୍ଟ ଥିଲା, ଯିଏ ୨୦୧୮ରେ ସଂଗଠନର ନେତୃତ୍ୱ ଗ୍ରହଣ କରିଥିଲେ। ପାକିସ୍ତାନ ମେହସୁଦଙ୍କ ନାମ ନେଇ ନ ଥିଲେ ମଧ୍ୟ କହିଛି ଯେ, ଅକ୍ଟୋବର ୭ରେ ପାକିସ୍ତାନୀ ସାମରିକ ଗାଡ଼ି ଉପରେ ଆକ୍ରମଣରେ ସମ୍ପୃକ୍ତ ୩୦ ଜଣ ଆତଙ୍କବାଦୀଙ୍କୁ ଏହାର ସୁରକ୍ଷା ବାହିନୀ ନିପାତ କରିଛି। ସୂଚନାଯୋଗ୍ୟ, ଆଫଗାନିସ୍ତାନ ସୀମା ନିକଟରେ ଟିଟିପି ଦ୍ୱାରା ହୋଇଥିବା ଆକ୍ରମଣରେ ଦୁଇ ବରିଷ୍ଠ ଅଧିକାରୀଙ୍କ ସମେତ ୧୧ ଜଣ ପାକିସ୍ତାନୀ ସୈନିକ ପ୍ରାଣ ହରାଇଥିଲେ। ଅନ୍ୟପକ୍ଷରେ ମେହସୁଦ ଏକ ଅଡିଓ ବାର୍ତ୍ତା ଦାବି କରିଛନ୍ତି ଯେ, ସେ ସୁରକ୍ଷିତ ଅଛନ୍ତି, ତାଙ୍କ ମୃତ୍ୟୁ କିମ୍ବା ନିଖୋଜ ଖବରକୁ ସେ ଅସ୍ୱୀକାର କରିଛନ୍ତି। ଏହି ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ଅନେକ ପାକିସ୍ତାନୀ ଗଣମାଧ୍ୟମ ଦାବି କରିବା ପରେ ଏହି ସ୍ପଷ୍ଟୀକରଣ ଆସିଛି।
୯/୧୧ ଆକ୍ରମଣ ପରେ ଆମେରିକା ସହ ପାକିସ୍ତାନର ମେଣ୍ଟକୁ ବିଶ୍ୱାସଘାତକତା ଭାବରେ ଦେଖିଥିବା ମେହସୁଦ୍ ଇସଲାମାବାଦ ପାଇଁ ସର୍ବଦା ମୁଣ୍ଡବିନ୍ଧା ହୋଇଆସୁଛନ୍ତି। ତେହେରିକ୍-ଏ-ତାଲିବାନ ପାକିସ୍ତାନ ନିକଟ ଅତୀତରେ ପାକିସ୍ତାନୀ ସାମରିକ କର୍ମଚାରୀଙ୍କୁ ଟାର୍ଗେଟ୍ କରି ଅନେକ ଆକ୍ରମଣ କରିଛି। ପାକିସ୍ତାନୀ ବିମାନ ଆକ୍ରମଣକୁ ନେଇ ଉଦ୍ବେଗ ପ୍ରକାଶ କରି ଆଫଗାନିସ୍ତାନରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ଜଲମାଇ ଖଲିଲଜାଦ ଏହାକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ଖଲିଲଜାଦ ପାକିସ୍ତାନ ଓ ତାଲିବାନ ମଧ୍ୟରେ ଆଲୋଚନା ପାଇଁ ଆହ୍ବାନ କରିଛନ୍ତି। ନିକଟ ଅତୀତରେ ତାଲିବାନ କାର୍ଯ୍ୟକର୍ତ୍ତାମାନେ ପାକିସ୍ତାନରେ ସକ୍ରିୟ ଅଛନ୍ତି, ଆଇଏସ୍ଆଇଏସ୍ ଉପରେ ଆକ୍ରମଣ କରୁଛନ୍ତି ଏବଂ ଏହାର ଅନେକ ନେତାଙ୍କୁ ହତ୍ୟା କରିଛନ୍ତି। କୌତୂହଳର ବିଷୟ ହେଉଛି, ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଆଫଗାନିସ୍ତାନ ତାଲିବାନକୁ କଡ଼ା ଚେତାବନୀ ଦେବାର ୨୪ ଘଣ୍ଟା ପରେ ପାକିସ୍ତାନୀ ଆକ୍ରମଣ ହୋଇଛି।
ନୂଆଦିଲ୍ଲୀ ଏପର୍ଯ୍ୟନ୍ତ କାବୁଲରେ ଶାସନକୁ ଆନୁଷ୍ଠାନିକ ଭାବରେ ସ୍ୱୀକୃତି ଦେଇ ନ ଥିଲେ ମଧ୍ୟ ଉଭୟ ପକ୍ଷ ଦ୍ୱିପାକ୍ଷିକ ଓ କୂଟନୈତିକ ସମ୍ପର୍କ ବୃଦ୍ଧି କରୁଥିବାରୁ ପାକିସ୍ତାନ କାବୁଲରେ ତାଲିବାନ ଓ ଭାରତକୁ ଏକ ବାର୍ତ୍ତା ପଠାଇବା ପାଇଁ କାବୁଲରେ ଆକ୍ରମଣ କରିଥିବା ଜଣାପଡିଛି। ତାଲିବାନ ବୈଦେଶିକ ମନ୍ତ୍ରୀ ମୁତ୍ତାକି ଛଅଦିନିଆ ଭାରତ ଗସ୍ତରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/11/untitled-3-2025-10-11-06-33-39.jpg)