ନୂଆଦିଲ୍ଲୀ: ପାକିସ୍ତାନର ଖାଇବର୍ ପଖତୁନ୍ଖ୍ବା ପ୍ରଦେଶରେ ପାକ୍ ବାୟୁସେନାର ବିମାନ ଆକ୍ରମଣରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଶିଶୁ ଏବଂ ମହିଳା ଅଛନ୍ତି। ରବିବାର ରାତି ପ୍ରାୟ ୨ଟା ସମୟରେ ଏହି ଆକ୍ରମଣ ହୋଇଛି। ପାକିସ୍ତାନ ବ୍ୟବହାର କରୁଥିବା ଚୀନ ନିର୍ମିତ ଲଢ଼ୁଆ ଯୁଦ୍ଧ ବିମାନ ଜେଏଫ୍-୧୭ ଦ୍ବାରା ତିରା ଭ୍ୟାଲିର ମାତ୍ରେ ଦାରା ଗ୍ରାମରେ ୮ଟି ଚୀନ୍ ନିର୍ମିତ ଏଲ୍ଏସ୍-୬ ବୋମା ନିକ୍ଷେପ ହୋଇଛି। ଏଥିରେ ବଡ଼ ଧରଣର କ୍ଷୟକ୍ଷତି ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। କିନ୍ତୁ ସେମାନଙ୍କ ସ୍ଥିତି ସ୍ପଷ୍ଟ ହୋଇନାହିଁ। ଆତଙ୍କବାଦୀ ଗୋଷ୍ଠୀ ଟିଟିପି ( ତେହେରିକ ଆଇ ତାଲିବାନ ପାକିସ୍ତାନ)କୁ ଟାର୍ଗେଟ୍ କରି ଏହି ଆକ୍ରମଣ ହୋଇଥିଲେ ସୁଦ୍ଧା ଏଥିରେ ସାଧାରଣ ନାଗରିକଙ୍କ ଜୀବନ ବଳି ପଡ଼ିଯାଇଛି।
ରିପୋର୍ଟ ଅନୁଯାୟୀ ଜେଏଫ୍-୧୭ ଯୁଦ୍ଧ ବିମାନରୁ ଏହି ବୋମା ନିକ୍ଷେପ କରାଯାଇଥିଲା। ବିସ୍ଫୋରଣର ପ୍ରଭାବ ଏତେ ଶକ୍ତିଶାଳୀ ଥିଲା ଯେ ଏଥିରେ ଗ୍ରାମର ଏକ ବିଶାଳ ଅଂଶ ଧ୍ବଂସ ହୋଇଯାଇଛି। ସମସ୍ତ ମୃତକମାନେ ସାଧାରଣ ନାଗରିକ ବୋଲି ଜଣାପଡ଼ିଛି। ୧୦ ଜଣଙ୍କ ମୃତଦେହ ମିଳିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।
ଉଲ୍ଳେଖଯୋଗ୍ୟ ଯେ ଖାଇବର୍ ପଖତୁନ୍ଖ୍ବାରେ ପାକିସ୍ତାନ ଅତୀତରେ ଅନେକ ଆତଙ୍କୀ ନିରୋଧ ଅପରେସନ୍ କରିଛି। କିନ୍ତୁ ଏଥିରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଆଫଗାନିସ୍ତାନ ସୀମାକୁ ଲାଗିଥିବା ଏହି ପ୍ରଦେଶରେ ଡ୍ରୋନ୍ ଆକ୍ରମଣ ଫଳରେ ସାଧାରଣ ନାଗରିକଙ୍କ ଜୀବନ ଚାଲିଯାଉଛି। ଖାଇବର୍ ପଖତୁନ୍ଖ୍ବା ପୁଲିସ ଅନୁଯାୟୀ ପ୍ରଦେଶରେ ଚଳିତ ବର୍ଷ ଜାନୁଆରିରୁ ଅଗଷ୍ଟ ମଧ୍ୟରେ ୬୦୫ ଆତଙ୍କବାଦୀ କାର୍ଯ୍ୟକଳାପ ହୋଇଛି ଏବଂ ଏଥିରେ ୧୩୮ ନାଗରିକ ଏବଂ ୭୯ ପାକିସ୍ତାନୀ ପୁଲିସ ନିହତ ହୋଇଛନ୍ତି। କେବଳ ଅଗଷ୍ଟରେ ୧୨୯ଟି ଘଟଣା ଘଟିଛି। ଏଥିରେ ୬ ପାକିସ୍ତାନୀ ସେନା ସଦସ୍ୟ ମଧ୍ୟ ନିପାତ ହୋଇଛନ୍ତି।