ଅବସର ନେବାକୁ ରାଜି ହେଲେ ପାକ୍ ସେନାଧ୍ୟକ୍ଷ ବାଜଓ୍ବା

ଇସ୍ଲାମାବାଦ : ନିଜ କାର୍ଯ୍ୟକାଳକୁ ଆହୁରି ନ ବଢାଇ ଅବସର ଗ୍ରହଣ କରିବାକୁ ରାଜି ହୋଇଛନ୍ତି ପାକିସ୍ତାନର ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜଓ୍ବା । ତାଙ୍କର କାର୍ଯ୍ୟକାଳ ଆସନ୍ତା ନଭେମ୍ବର ୨୯ରେ ଶେଷ ହେବ ।

ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜେନେରାଲ ବାଜଓ୍ବା ଶୁକ୍ରବାରଦିନ କହିଛନ୍ତି ଯେ ସେ ଆଉ ୫ ସପ୍ତାହ ପରେ ଅବସର ଗ୍ରହଣ କରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ପାକିସ୍ତାନର ରାଜନୀତିରେ କୌଣସି ଭୂମିକା ଗ୍ରହଣ କରିବେ ନାହିଁ ।

ଜେନେରାଲ ବାଜଓ୍ବାଙ୍କ ଅବସର ଘୋଷଣା ପରେ ତାଙ୍କର ଉତ୍ତରାଧିକାରୀ କିଏ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ନଭେମ୍ବର ୨୯, ୨୦୧୬ରେ ପାକିସ୍ତାନର ତତକାଳୀନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ ତାଙ୍କୁ ପାକିସ୍ତାନର ସେନାଧ୍ୟକ୍ଷ ନିଯୁକ୍ତ କରିଥିଲେ । ତାଙ୍କ ଉପରେ ଆଉ ଦୁଇଜଣ ଜେନେରାଲ ସିନିୟର ଥିଲେ ବି ତାଙ୍କୁ ସେନାଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା ।

ପରେ ୧୯ ଅଗଷ୍ଟ ୨୦୧୯ରେ ତାଙ୍କର କାର୍ଯ୍ୟକାଳକୁ ଆଉ ୩ ବର୍ଷ ପାଇଁ ବଢାଇଦେଇଥିଲେ ତତକାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଏହି ସଂପ୍ରସାରିତ କାର୍ଯ୍ୟକାଳ ଚଳିତ ବର୍ଷ ନଭେମ୍ବର ୨୯ରେ ଶେଷ ହେଉଛି ।

ତାଙ୍କ ଅମଳରେ ହିଁ ଭାରତ ପାକିସ୍ତାନ ଅଧିକୃତ କଶ୍ମୀରର ବାଲାକୋଟରେ ଏୟାରଷ୍ଟ୍ରାଇକ କରି ସେଠାରେ ଥିବା ଜୈସ ଆତଙ୍କବାଦୀ ଶିବିର ଧ୍ବଂସ କରିଦେଇଥିଲା । ଏହାକୁ ନେଇ ଦୁଇ ଦେଶ ଯୁଦ୍ଧର ଦ୍ବାରଦେଶରେ ପହଞ୍ଚିଯାଇଥିଲେ ।

ସମ୍ବନ୍ଧିତ ଖବର