ନୂଆଦିଲ୍ଲୀ: ପାକିସ୍ତାନକୁ ଘାରିଛି ଭାରତ ଭୟ । ଡରରେ କମ୍ପୁଛି ପାକିସ୍ତାନ । ପହଲଗାମ ପ୍ରତିଶୋଧ ପାଇଁ ସେନାକୁ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ଣ୍ଣ ସ୍ବାଧୀନତା ଦେବା ପରେ ଏବେ ପ୍ରତି ମୁହୂର୍ତ୍ତରେ ଡରୁଛି ପାକିସ୍ତାନ ଆଉ ଛାନିଆ ହେଲେଣି ପାକ୍ ସେନା ମୁଖ୍ୟ ଆସିମ ମୁନିର । କୁହାଯାଉଛି କି ଭାରତର ବଡ ଆକ୍ସନ ଭୟରେ ତାଙ୍କୁ ରାତିରେ ବି ନିଦ ହେଉନି । କାଳେ ଭାରତ ରାତି ଅଧରେ ଆକାଶ ମାର୍ଗରୁ ଆକ୍ରମଣ କରିଦେବ କି ? ସୀମାରେ କିଛି ବଡ ପ୍ରତି ଆକ୍ରମଣ କରିଦେବ କି ? କାରଣ ପହଲଗାମ୍ ବଦଲା ନେବାକୁ ସୁଯୋଗ ଅପେକ୍ଷାରେ ଥିବା ଭାରତ ବିରାଟ ପ୍ରସ୍ତୁତି କରୁଛି । ଯାହାର ଗୋଟି ଗୋଟି ଖବର ଉପରେ ଇସଲାମାବାଦ ନଜର ରଖିଛି । ତେଣୁ ଦିଲ୍ଲୀରେ ଟିକେ ହଲଚଲ ହେଲେ ଇସଲାମାବାଦରେ ଥରହର ଦେଖିବାକୁ ମିଳୁଛି ।
ଭାରତର ଯୁଦ୍ଧ ଭୟ ଆଉ ଆକ୍ରମଣ ଡରରେ ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିର ତାଙ୍କ ପରିବାରକୁ ଦୁଇ ତିନି ଦିନ ତଳେ ପାକିସ୍ତାନ ବାହାରକୁ ପଠାଇ ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଆମେରିକା ଏବଂ ଲଣ୍ଡନ ପଠାଇଥିବା ସୂଚନା ମିଳିଥିବା ବେଳେ ଖୋଦ୍ ସେନା ମୁଖ୍ୟ ଆସିମ ମୁନିର ବଙ୍କର ଭିତରେ ଲୁଚିଥିବା କୁହାଯାଉଛି ।
ତେବେ ଭାରତ ଆକ୍ରମଣ ପାଇଁ ବଡ଼ ଯୋଜନା କରୁଥିବା ବେଳେ ଭୟରେ ଥରୁଛି ପାକିସ୍ତାନ । ଶୋଇପାରୁନାହାନ୍ତି ପାକିସ୍ତାନର ମନ୍ତ୍ରୀ । ବିଳମ୍ବିତ ରାତିରେ ପାକିସ୍ତାନ ସୂଚନା ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସୂଚନା ମନ୍ତ୍ରୀ ଅତାଉଲ୍ଲାହ ତରାର ରାତି ପାଖାପାଖି ସାଢେ ୧ଟା ବେଳେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ସେ କହିଛନ୍ତି ଭାରତୀୟ ସେନା ୨୪ରୁ ୩୬ ଘଣ୍ଟା ମଧ୍ୟରେ ଆକ୍ରମଣ କରିପାରେ । ବିଶ୍ବସନୀୟ ଗୁଇନ୍ଦା ସୂତ୍ରରୁ ତାଙ୍କୁ ସୂଚନା ମିଳିଥିବା ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଆତଙ୍କବାଦୀଙ୍କ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ମୋଦୀ ସ୍ବାଧୀନତା ଦେବା ପରେ ପାକିସ୍ତାନରେ ଭୟ ବଢ଼ି ଯାଇଛି ।
ଏପଟେ ପହଲଗାମ ଆକ୍ରମଣରେ ପ୍ରତିଶୋଧ ପାଇଁ ସେନାକୁ ପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆକ୍ରମଣ ପାଇଁ ସମୟ, ଟାର୍ଗେଟ, ଶୈଳୀ ସ୍ଥିର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ, ଏନଏସଏ, ସିଡିଏସ ଓ ତିନି ସେନାମୁଖ୍ୟଙ୍କ ସହ ମୋଦୀ ଓ ଶାହାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଜାମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଆକ୍ସନରେ କେନ୍ଦ୍ର ସରକାର ଥିବା ବେଳେ ପାକିସ୍ତାନରେ ଛନକା ପଶିଛି ।