ଇସଲାମାବାଦ: ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇ ଭାରତ ବିରୋଧରେ ବିଷୋଦ୍‌ଗାର କରିବା ସହ ଆକ୍ରମଣ ଧମକ ଦେଇଛନ୍ତି। ସେ କହିଛନ୍ତି, ଭାରତ  ବିନା ଉତ୍ତେଜନାରେ ପାକିସ୍ତାନ ଉପରେ ପୂର୍ବରୁ ଦୁଇଥର ଆକ୍ରମଣ କରିଛି ଏବଂ ଆଗକୁ ଏଭଳି ସ୍ଥିତିରେ ଭାରତକୁ ନିର୍ଣ୍ଣାୟକ ଜବାବ ମିଳିବ। କରାଚୀସ୍ଥିତ ପାକିସ୍ତାନ ନୌସେନା ଏକାଡେମୀରେ ଉଦ୍‌ବୋଧନ ଦେଇ ମୁନିର ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ପାଇଁ ଭାରତକୁ ଦାୟୀ କରିବା ସହ ପାକିସ୍ତାନ ନିର୍ଣ୍ଣାୟକ ଲଢ଼େଇରେ ଅବତୀର୍ଣ୍ଣ ହେବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ମୁନିରଙ୍କ ଏଭଳି ବୟାନ ଦୁଇ ଦେଶ ମଧ୍ୟରେ ସଂପର୍କକୁ ଅଧିକ ତିକ୍ତ କରିବା ଆଶଙ୍କା ପ୍ରକାଶ ପାଇଛି। ମୁନିର ଦାବି କରିଛନ୍ତି ଯେ ପାକିସ୍ତାନରେ ଆତଙ୍କବାଦର ମୂଳୋତ୍ପାଟନ ସମୟ ପାଖେଇ ଆସୁଥିବା ବେଳେ ଭାରତ ଜାଣିଶୁଣି ଏହି ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି। ଏହି  ଭାଷଣରେ ମୁନିର ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇ ଦାବି କରିଛନ୍ତି ଯେ ଏଭଳି ସମୟରେ ଆମେ ଆମର କାଶ୍ମୀର ଭାଇମାନଙ୍କ ବଳିଦାନକୁ ମନେ ରଖିବା ଉଚିତ।   ଭାରତର ବେଆଇନ ଦଖଲ ବିରୋଧରେ ସେମାନଙ୍କ ସଂଘର୍ଷକୁ ଆମର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ସେ କହିଛନ୍ତି। ମିଳିତ ଜାତିସଂଘର ସଂକଳ୍ପ ଏବଂ କାଶ୍ମୀରବାସୀଙ୍କ ଆକାଂକ୍ଷା ଅନୁଯାୟୀ କଶ୍ମୀର ପ୍ରସଙ୍ଗର ନ୍ୟାୟପୂର୍ଣ୍ଣ ସମାଧାନ ପାଇଁ ପାକିସ୍ତାନ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। 
ସୂଚନାଯୋଗ୍ୟ, ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣ ଏବଂ ପରବର୍ତ୍ତୀ ସମୟରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’କୁ ନେଇ ଦୁଇ ଦେଶ ମଧ୍ୟରେ ସଂଘର୍ଷ ପରେ  ଉତ୍ତେଜନାପୂର୍ଣ୍ଣ  ସ୍ଥିତି ଲାଗି ରହିଛି।  ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବାର କିଛି ଦିନ ପୂର୍ବରୁ ମୁନିର କାଶ୍ମୀରକୁ ପାକିସ୍ତାନର ପ୍ରମୁଖ ଅଙ୍ଗ ବୋଲି କହିଥିଲେ।