ଭାରତୀୟ ଗୁଇନ୍ଦା ସଂସ୍ଥା ଦ୍ୱାରା ସାଇବର ଆକ୍ରମଣ କରାଯାଇଥିବା ପାକିସ୍ତାନ ସେନାର ଅଭିଯୋଗ

ଇସ୍ଲାମାବାଦ : ପାକିସ୍ତାନର କେତେକ ମିଲିଟାରୀ ଓ ସରକାରୀ ବିଭାଗର କମ୍ପ୍ୟୁଟର ବ୍ୟବସ୍ଥା ଉପରେ ଏକ ବଡ଼ ଧରଣର ସାଇବର ଆକ୍ରମଣ ହୋଇଥିବା ଜଣାଯାଇଛି । ଏହା ଫଳରେ ପାକିସ୍ତାନୀ ସେନାର କେତେକ ଗୁରୁତ୍ୱପୂର୍ଣ୍ଣ ସାଇଟ ଏବଂ କେତେକ ବରିଷ୍ଠ ଅଧିକାରୀଙ୍କ ଇମେଲ ଆକାଉଣ୍ଟ, ସ୍ମାର୍ଟଫୋନ ହ୍ୟାକ ହୋଇଯାଇଛି । ଏହି ଆକ୍ରମଣ ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ରହିଛନ୍ତି ବୋଲି ପାକିସ୍ତାନ ଅଭିଯୋଗ କରିଛି ।
ଏହି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ପାକିସ୍ତାନ ସେନା । ଯେଉଁ ଅଧିକାରୀମାନେ ନିରାପତ୍ତା ଏସଓପିର ଉଲ୍ଲଙ୍ଘନ କରିଥିବା ଜଣାପଡ଼ିବ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପାକିସ୍ତାନ ସେନାର ଜନସଂପର୍କ ବିଭାଗ ଇଣ୍ଟରସର୍ଭିସ ପବ୍ଲିକ ରିଲେସନ୍ସ (ଆଇଏସପିଆର) ପକ୍ଷରୁ କୁହାଯାଇଛି ।
ଆଇଏସପିଆରପକ୍ଷରୁ କୁହାଯାଇଛି ଯେ ଗତ ବର୍ଷ ବାଲାକୋଟ ଘଟଣା ପରଠାରୁ ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ନିୟମିତ ଭାବେ ପାକିସ୍ତାନୀ ସେନା ଓ ସରକାରୀ ବିଭାଗଗୁଡ଼ିକ ଉପରେ ସାଇବର ଆକ୍ରମଣ କରିବାକୁ ଉଦ୍ୟମ କରାଯାଉଛି । ସେନା ଅଧିକାରୀ, ସରକାରୀ ଅଧିକାରୀ ଓ ସରକାରୀ ପ୍ରତିଷ୍ଠାନଗୁଡ଼ିକ ଉପରେ ସାଇବର ଆକ୍ରମଣ କରି ଗୁଇନ୍ଦା ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଆଇଏସପିଆର ଅଭିଯୋଗ କରିଛି । ଏସବୁ ସାଇବର ଆକ୍ରମଣର ମୁକାବିଲା କରିବାକୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି ଆଇଏସପିଆର କହିଛି ।
ତେବେ ପାକିସ୍ତାନର ଏହି ଅଭିଯୋଗ ସଂପର୍କରେ ଭାରତର ପ୍ରତିକ୍ରିୟା ଜଣାପଡ଼ିନାହିଁ ।

ସମ୍ବନ୍ଧିତ ଖବର