ଶ୍ରୀନଗର:ଜମ୍ମୁ କଶ୍ମୀରରେ ଆଜି ପୁଣି ଏକ ଆତଙ୍କବାଦୀ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି ସୁରକ୍ଷା ବାହିନୀ। ବାରମୂଳାର ପାଟ୍ଟନ୍ ସ୍ଥିତ ପାଲ୍ହଲନ ଅଞ୍ଚଳରେ ଆଜି କିଛି ଆତଙ୍କବାଦୀ ଛପି ରହିଥିବା ଖବର ମିଳିଥିଲା। ସୁରକ୍ଷାବାହିନୀ ତୁରନ୍ତ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସି ଅଭିଯାନ ଆରମ୍ଭ କରିଦେଇଥିଲେ। ତେବେ ଏହା ଜାଣିପାରି ଆତଙ୍କବାଦୀମାନେ ଗୁଳିବର୍ଷା କରିଥିଲେ। ଏହାର ପାଲଟା ଜବାବ ଦେଇ ସୁରକ୍ଷାବାହିନୀ ମଧ୍ୟ ଦେଇ ଚାଲିଥିଲେ। ତେବେ ଉଭୟ ପକ୍ଷର ଘମାଘୋଟ ଗୁଳି ବିନିମୟ ଭିତରେ କିଛି ବିଶୃଙ୍ଖଳ ଜନତା ସୁରକ୍ଷାବାହିନୀ ଉପରକୁ ପଥର ମାଡ଼ କରିଥିଲେ। ବିଶୃଙ୍ଖଳ ଜନତାଙ୍କୁ ଘଉଡ଼ାଇବାଲାଗି ସୁରକ୍ଷାବାହିନୀ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲେ। ଏହାର ସୁଯୋଗରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ। ତେବେ କୌଣସି ପ୍ରକାର ବିଶୃଙ୍ଖଳା ଆଶଙ୍କାକୁ ଦୂର କରିବା ପାଇଁ ସମ୍ପୃକ୍ତ ଅଞ୍ଚଳରେ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଗତକାଲି ମଧ୍ୟ କିଛି ଆତଙ୍କବାଦୀ ପୁଲ୍ଓ୍ଵାମା ଜିଲ୍ଲାର ଅଓ୍ଵନ୍ତିପୁରା ଅଞ୍ଚଳର ଏକ ସିଆର୍ପିଏଫ୍ ଶିବିରକୁ ନିଶାଣ କରି ପ୍ରବଳ ଗୁଳି ମାଡ଼ କରିଥିବା ବେଳେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିଚାଳନାକୁ ସାମନା କରିନପାରି ସେମାନେ ଖସି ପଳାଇଥିଲେ।
ନୂଆଦିଲ୍ଲୀ:ଜମ୍ମୁ କଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଅଶାନ୍ତ ସ୍ଥିତିରେ ସୁଧାର ଆସୁନି। ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ୨୦ରୁ ଊର୍ଦ୍ଧ୍ୱ ପାକ୍ ରେଞ୍ଜର୍ସ ନିହତ ହୋଇଥିବା ଗତକାଲି ସରକାରୀ ସୁତ୍ରରୁ ଜଣାପଡ଼ିଥିବା ବେଳେ ପାକିସ୍ତାନ ସେନା ଆଜି କଶ୍ମୀରର ଟାଟା ପାନି ଗ୍ରାମ ନିକଟ ଭାରତୀୟ ସେନା ପୋଷ୍ଟ୍ ଧ୍ୱଂସ କରି ୫ ଯବାନଙ୍କୁ ସହିଦ କରିଛି ବୋଲି ଦାବି କରିଛି। ପାକିସ୍ତାନର ଦାବି ଅନୁଯାୟୀ, ପାକ୍ ଅଧିକୃତ କଶ୍ମୀର ଅଞ୍ଚଳରେ ଗତକାଲି ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ନେଉଥିବା ଏକ ଭ୍ୟାନ୍ ଉପରକୁ ଭାରତୀୟ ସେନା କରିଥିବା ସ୍ନାଇପର ଆକ୍ରମଣରେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା। ତେଣୁ ପାକିସ୍ତାନ ସେନା ଏହାର କଡ଼ା ଜବାବ୍ ଦେଇ ଭାରତୀୟ ସେନା ପୋଷ୍ଟ୍ ଧ୍ୱଂସ କରିଛି। ଅନ୍ୟପକ୍ଷରେ, ପାକିସ୍ତାନ ସେନାର ଏହି ଦାବିକୁ ଭିତ୍ତିହୀନ ବୋଲି ଭାରତର ଜଣେ ସେନାଧିକାରୀ କହିଛନ୍ତି। ସେହିପରି ଗତକାଲି ଭାରତ ପକ୍ଷରୁ କୌଣସି ଅସ୍ତ୍ରବିରତି ଉଲ୍ଲଂଘନ ହୋଇନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Indian-Army-Bunker.jpg)